ରାଜ୍ୟସ୍ତରୀୟ ନାଟ୍ୟମେଳାର ୩ୟ ସଂଧ୍ୟା: ‘ଭିନ୍ନ ଏକ ନିଷ୍ପତ୍ତି’ରେ ବିଭୋର ଦର୍ଶକ।

ନୟାଗଡ଼ ;ତା-୦୪/୦୩(ବିଏମସି ଟିଭି ଓଡ଼ିଆ)

ବାପା ମା ନିଜ ପୁଅଝିଅଙ୍କୁ ପାଳିପୋଷି ବଡ଼ କରିବାରେ କିଛି ସର୍ତ୍ତ ରଖି ନଥାନ୍ତି। ସେମାନେ ନିଜ ପାଇଁ ନୁହେଁ, ବରଂ ପୁଅ ଝିଅଙ୍କୁ ନେଇ ଅନେକ ସ୍ବପ୍ନ ଦେଖିଥାନ୍ତି। ସ୍ବପ୍ନକୁ ସାକାର କରିବା ପାଇଁ ସେମାନେ ପ୍ରତିଟି ଆହ୍ୱାନକୁ ଖୁସି ଖୁସିରେ ସାମ୍ନା କରି ଚାଲିଥାନ୍ତି। ହେଲେ, ସିଡିରେ ଗଛ ଚଢି ସାରିବା ପରେ ସିଡିକୁ ଭୁଲିଯିବା ନ୍ୟାୟରେ
ଏବର ଅନେକ ପୁଅ ବାପା ମା’ଙ୍କୁ ହତାଦର କରି ଅସହାୟ କରି ଚାଲିଛନ୍ତି। କେବଳ ସାମାଜିକ ସମାଲୋଚନାରୁ ବର୍ତ୍ତି ଯିବାପାଇଁ ଏକ ନୂଆ ବାଟ ଖୋଜି ନେଇଛନ୍ତି,ଯାହାକି ଏକ ସଂସ୍କୃତିରେ ପରିଣତ ହୋଇଛି। ଅନ୍ୟର ପୁଅ ହାତରେ ନିଜର ଦାୟିତ୍ଵ ସମର୍ପି ଦେଇ, ସେମାନେ ସମାଜକୁ ଦେଖାଉଛନ୍ତି ଯେ ଆମ ବାପା ମା ଖୁସିରେ ଅଛନ୍ତି। ପରପୁଅ ଦାୟିତ୍ଵ ପାଳି ଚାଲିଛି ସତ ହେଲେ ଏକ ଧନ୍ଦାଭାବେ ତାକୁ ଗ୍ରହଣକରି। ସମୟକ୍ରମେ ପରପୁଅ ନିଜ ପୁଅ ପାଲଟି ଯାଉଛି। ସ୍ନେହ ଦେଉଛି, ସ୍ନେହ ନେଉଛି। ଏପରିକି ଅଧିକାର ପାଉଛି ମୁଖାଗ୍ନି ଦେବାପାଇଁ। ଏପରି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ଆଜି ଅନୁଷ୍ଠିତ ନାଟକ ‘ ଭିନ୍ନ ଏକ ନିଷ୍ପତ୍ତି’ର
କାହାଣୀରେ ଭାବୁକ ହୋଇଯାଇଥିଲେ ଦର୍ଶକ।

ଜିଲ୍ଲାର ଅଗ୍ରଣୀ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ଆୟୋଜିତ ୫ମ ରାଜ୍ୟସ୍ତରୀୟ ନାଟ୍ୟମେଳାର ତୃତୀୟ ସନ୍ଧ୍ୟାରେ ଦର୍ଶକଙ୍କୁ ବିଭୋର କରିଥିଲା ଏହି ଭିନ୍ନ ସ୍ୱାଦର ନାଟକ ‘ଭିନ୍ନ ଏକ ନିଷ୍ପତ୍ତି’ । ମଙ୍ଗଳବାର ସଂଧ୍ୟାରେ ସ୍ଥାନୀୟ ପଠାଣି ସାମନ୍ତ ଅଡ଼ିଟୋରିୟମ ଠାରେ ମଞ୍ଚସ୍ଥ ହୋଇଥିବା ଏହି ନାଟକକୁ ବିଶିଷ୍ଟ ନାଟ୍ୟକାର ଅଶୋକ କୁମାର ବହିଦାର ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ସୁଜିତ କୁମାର ପାତ୍ର । ଏଥିରେ ବିଭିନ୍ନ ଭୂମିକାରେ ରାକେଶ କୁମାର ଶତପଥୀ, ଅମ୍ଲାଂଶୁ ପୂଜାରୀ, ଶୁଭମ ମହାଙ୍କୁର, ଶିବାଶିଷ ଝଙ୍କାର, ବିଶାଳ କୁମାର ନାୟକ, ବିଷ୍ନୁପ୍ରିୟା ଗଡତିଆ, ଜୁଲିରାଣୀ ଷଣ୍ଢ ପ୍ରମୁଖ ଅଭିନୟ କରିଥିଲେ। ଜାଗରଣ ଆର୍ଟ ଇଣ୍ଟରନ୍ୟାସନାଲ, ଦେବଗଡ଼ ପକ୍ଷରୁ ପରିବେଷିତ ଏହି ନାଟକରେ ଆଜି ଅତିଥିଭାବେ ରଣପୁରର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ ଯୋଗଦାନ କରିଥିଲେ। ଆଜି ଅନୁଷ୍ଠିତ ନାଟ୍ୟମେଳାର ତୃତୀୟ ସନ୍ଧ୍ୟାରେ ନାଟ୍ୟଧାରା ସଭାପତି ପ୍ରମୋଦ ପଟ୍ଟନାୟକ ନାୟକ, ଉପ ସଭାପତି ବିଶ୍ୱନାଥ ମହାପାତ୍ର, ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର, ନାଟ୍ୟ ନିର୍ଦ୍ଦେଶକ ବିଜୟ କୁମାର ଚୌଧୁରୀ ତଥା ନାଟ୍ୟଧାରା ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ନୟାଗଡ଼ ରୁ ବିକ୍ରମ ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡିଶା।

Leave a Reply

Your email address will not be published. Required fields are marked *