ବରପାଲିରେ ୫୧ ତମ ରାଜ୍ୟ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ।

ସମ୍ବଲପୁର;ତା-୧୮/୧୨(ବିଏମସି ଟିଭି ଓଡିଆ)

ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମମାଟି ‌ବରପାଲି ସ୍ଥିତ ସରକାରୀ ବାଳକ ଉଚ୍ଚବିଦ୍ୟାଳୟ ଖେଳପଡିଆ ପରିସରରେ ୫୧ ତମ ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଯାଇଛି। ବରଗଡ଼ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋଏଲଙ୍କ ସଭାପତିତ୍ବରେ ଆୟୋଜିତ ସମାରୋହରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବରେ ବିଜେପୁର ବିଧାୟକ ସନତ ଗଡତିଆ, ଅତାବିରା ବିଧାୟକ ନିହାର ମହାନନ୍ଦ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଭଟଲି ବିଧାୟକ ଇରାସିଶ ଆଚାର୍ଯ୍ୟ, ପଦ୍ମପୁର ବିଧାୟିକା ବର୍ଷାରାଣୀ ସିଂ ବରିହା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ଆର୍ ଡି ସି ବିକାଶ ପ୍ରଧାନ, ଏଡିଏମ ମହେନ୍ଦ୍ର ମହାପାତ୍ର, ପୂର୍ବତନ ଡିଇଓ ସୁବୋଧ ଦାଶ, ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରୀ, ସହ-ଜିଲ୍ଲା ଶିକ୍ଷାଧିକାରୀ ଜ୍ୟୋତିକାନ୍ତ ସାହୁ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧିରୋଜ୍ ପଟ୍ଟନାୟକ, ଡିଆଇଇଟି ଅଧ୍ୟକ୍ଷ ରଜନୀକାନ୍ତ ଦାଶ ଏବଂ ବରଗଡ଼ ସ୍ଥିତ ଜର୍ଜ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁଶ୍ରୀ ଶାଶ୍ଵତୀ ଦାଶ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଦବୋଧନ ଦେଇଥିଲେ। ମୁଖ୍ୟଅତିଥି ତାଙ୍କର ଅଭିଭାଷଣରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ନିଆଯିବାକୁ ଥିବା ଉନ୍ନୟନ ମୂଳକ ପଦକ୍ଷେପ ସମ୍ବନ୍ଧରେ ସୂଚନା ଦେବା ସହ ବିଭିନ୍ନ ବର୍ଗର ଶିକ୍ଷକମାନଙ୍କ ସମସ୍ୟା ଗୁଡିକର ସମାଧାନ ଅତି ଶୀଘ୍ର କରାଯିବା ପାଇଁ ସୂଚନା ପ୍ରଦାନ କରିଥିଲେ। ଅତିଥିମାନଙ୍କୁ ସ୍ଥାନୀୟ ସରସ୍ଵତୀ ବିଦ୍ୟାମନ୍ଦିରର ବ୍ୟାଣ୍ଡ ଗ୍ରୁପ୍ ସ୍ବାଗତକରି ମଞ୍ଚ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ। ପ୍ରଥମେ ମାଆ ସମଲେଶ୍ଵରୀ, ପ୍ରଭୁ ଜଗନ୍ନାଥ ଓ ଏହି ମାଟିର ବରପୁତ୍ର ସ୍ଵଭାବ କବିଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକଙ୍କ ଉଦ୍ଦେଶ୍ୟ ଜ୍ଞାପନ ତଥା ଏହାର ଆଭିମୁଖ୍ୟ ସମ୍ବନ୍ଧରେ ଉଦବୋଧନ ଦେବା ପରେ ସ୍ଵଭାବ କବିଙ୍କ କାଳଜୟୀ କବିତା “ବିଶ୍ବ ଦେଖ ମଧୁମୟରେ ଜୀବନ” ସାମୁହିକ ଭାବରେ ଗାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ଆୟୋଜନରେ ବରଗଡ଼ ଜିଲ୍ଲାର ସମସ୍ତ ବାରଟି ବ୍ଲକର ବିଇଓ ଏବଂ ଜିଲ୍ଲାର ବିଜ୍ଞ ତଥା ସୁଦକ୍ଷ ବିଜ୍ଞାନ ଶିକ୍ଷକମାନଙ୍କର ସହଯୋଗ , ବରପାଲି ସ୍ଥିତ ବିଭିନ୍ନ ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ନିରବଚ୍ଛିନ୍ନ ପ୍ରୟାସ ଫଳରେ ଓଡିଶାର ତିରିଶଟି ଜିଲ୍ଲାରୁ ଆସିଥିବା ସମସ୍ତ ବାଲ୍ ବୈଜ୍ଞାନିକ , ଗାଇଡ ଶିକ୍ଷକ ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକମାନଙ୍କୁ ଆତିଥେୟତା ପ୍ରଦାନ ପୂର୍ବକ ସମସ୍ତଙ୍କର ରହିବା ଓ ଖାଇବାର ସୁବ୍ୟବସ୍ଥା କରାଯାଇଥିଲା। ଭେଡେନ ବ୍ଲକ ଗର୍ଭଣା ପ୍ରାଥମିକ ବିଦ୍ୟାଳୟର କୁନି ଛାତ୍ରମାନେ ପରିବେଶ ସୁରକ୍ଷା ଓ ସମୟାନୁବର୍ତ୍ତିତା ଉପରେ ଚିତ୍ତାକର୍ଷକ ପାଲା ପରିବେଷଣ କରିଥିଲେ। ସଭାକାର୍ଯ୍ଯକୁ ସଂଯୋଜନା କରିଥିଲେ ରାଜେଶ ଖମାରୀ ଓ ଦ୍ଵାଦଶ ପ୍ରଧାନ। ପରିଶେଷରେ ଏସସିଇଆରଟି ର ସହ ନିର୍ଦ୍ଦେଶିକା ଶ୍ରୀମତୀ ପ୍ରଲିପ୍ତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସଭାକାର୍ଯ୍ୟ ପରେ ମାନ୍ୟବର ମନ୍ତ୍ରୀଙ୍କ ଦ୍ଵାରା ରକେଟ ଉତ୍‌କ୍ଷେପଣ କରାଯାଇଥିଲା । ଏହି ରକେଟ୍ ଜିଲ୍ଲା ବିଜ୍ଞାନ କେନ୍ଦ୍ରର ଦାୟିତ୍ୱରେ ଥିବା ଗୋପୀନାଥ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ଥାପନ କରାଯାଇଥିଲା। ମୁଖ୍ୟ ଅତିଥିଙ୍କ ଦ୍ଵାରା ପ୍ରଦର୍ଶନୀ ଷ୍ଟଲ୍‌ରେ ଫିତାକଟା ଯାଇ ବିଜ୍ଞାନ ମେଳାର ଶୁଭାରମ୍ଭ କରଯାଇଥିଲା। ଏହି ପ୍ରଦର୍ଶନୀରେ ସମୁଦାୟ ୨୧୦ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହେଉଛି ଯାହାକି ଆଗାମୀ ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଆ।

Leave a Reply

Your email address will not be published. Required fields are marked *