ସ୍ୱରାଜ ଦର୍ଶନ-୨ ରେ ସାମିଲ ହେଲା ଓଡ଼ିଶାର ସର୍ବ ବୃହତ ରକ୍ତତୀର୍ଥ କୁଦୋପାଲି ରଣଭୂମି।

ସମ୍ବଲପୁର ;ତା-୨୯/୧୨(ବିଏମସି ଟିଭି ଓଡିଆ)

ଭାରତ ସଂଗ୍ରାମର ସହର ସମ୍ବଲପୁର ଏବେ ସ୍ୱରାଜ ଦର୍ଶନରେ ସାମିଲ ହୋଇଛି। ଏକଦା ଅଖ୍ୟାତ ପଲ୍ଲୀ ଓ ବର୍ତ୍ତମାନର ମହାନଗର ନିଗମରେ ଅନ୍ତର୍ଭୁକ୍ତ କୁଦୋପାଲି ଏବେ ପାଇବାକୁ ଯାଉଛି ସର୍ବ ମାନ୍ୟତା। ଏହି ରକ୍ତ ତୀର୍ଥ ରଣଭୂମି କୁଦୋପାଲି ଘାଟିରେ ସମ୍ମୁଖ ଯୁଦ୍ଧରେ ଵୀରଗତି ପ୍ରାପ୍ତ ହୋଇଥିଲେ ବୀର ସୁରେନ୍ଦ୍ର ସାଏଙ୍କ ଭାଇ ବୀର ଛବିଳ ସାଏଙ୍କ ସମେତ ୫୩ ଜଣ ବୀର ସଂଗ୍ରାମୀ। ଏହା ୩୦ ଡିସେମ୍ବର ୧୮୫୭ ମସିହାରେ ଘଟିଯାଇଥିବା ଦେଶପ୍ରେମର ରକ୍ତ ରଞ୍ଜିତ ଐତିହାସିକ ଘଟଣା। ଏଗାର ଜଣ ସଂଗ୍ରାମୀ ଗିରଫ ହୋଇଥିଲେ ଓ ୪ ଜଣଙ୍କୁ ଦିଆଯାଇଥିଲା ଫାଶୀ ଦଣ୍ଡ। ମୋଟ ୫୭ ଜଣ ଶହୀଦ ହୋଇଥିଲେ ଏହି ଭାରତ ସ୍ୱାଧୀନତା ଯୁଦ୍ଧରେ। ଏକ ଅଣଆଲୋଚିତ ଓ ଉପେକ୍ଷିତ ଏହି ବୀରତ୍ୱର କାହାଣୀ ଇତିହାସ ଗର୍ଭରେ ଲୀନ ହେବାକୁ ଯାଉଥିବା ବେଳେ ଏବେ ଏହି ସତ୍ୟର କାହାଣୀକୁ ନେଇ କେବଳ ଚର୍ଚ୍ଚା ଆରମ୍ଭ ହୋଇନି ବରଂ ଚେତିଛି ସରକାର।

ଦୀର୍ଘ ବର୍ଷର ଏହି ଐତିହାସିକ ଘଟଣାକୁ ଏବେ ଡବଲ ଇଂଜିନ ସରକାର ଏକ ସମ୍ବେଦନଶିଳ ଭାବେ ଗ୍ରହଣ କରି ସ୍ୱରାଜ ଦର୍ଶନ-୨ରେ ସାମିଲ କରି ରଣଭୂମିର ବିକାଶ ଦିଗରେ ଏକ ବଡ଼ ଭୂମିକା ନିର୍ବାହ କରିବାକୁ ଯାଉଛନ୍ତି । ବାସ୍ତବିକ ଭାବେ କୁଦପାଲିର ଏହି ବଳିଦାନର କାହାଣୀ ଏକ ଐତିହାସିକ ସ୍ମାରକୀ। ଓଡିଶାର ସ୍ୱାଧୀନତା ପାଇଁ ଇଂରେଜ ଶାସନ ବିରୋଧରେ କୁଦୋପାଲି ଇତିହାସ ଏକ ସ୍ପର୍ଶ୍ୱକାତର ଘଟଣା ପ୍ରବାହ। ରକ୍ତାକ୍ତ ସଂଗ୍ରାମରେ ରକ୍ତରଞ୍ଜିତ ହୋଇଥିଲା ଏହି ରଣଭୂମି କୁଦୋପାଲି। ଏହାକୁ “ଓଡ଼ିଶାର ଜାଲିୱାନାୱାଲା ବାଗ” କହିଲେ କିଛି ଅତ୍ୟୁକ୍ତି ହେବନାହିଁ। ଏହାର ସତ୍ୟତା ରହିଥିବାରୁ ଶନିବାର ପର୍ଯ୍ୟଟନ ବିଭାଗ କୁଦୋପାଲି ଗସ୍ତରେ ଆସି ଘଟଣା ସ୍ଥଳ ଅନୁଧ୍ୟାନ କରି ଯାଇଛନ୍ତି।ସମ୍ବଲପୁର ପର୍ଯ୍ୟଟନ ବିଭାଗର ସହକାରୀ ନିର୍ଦ୍ଦେଶକ ଆର. କେ.ଦଳାଇ, ବି.ବୁଦୁଲା ପ୍ରମୁଖ କର୍ମଚାରୀ ଘଟଣା ସ୍ଥଳ ପରିଦର୍ଶନ କରିବା ସହିତ ଛବିଳ ସାଏ ସ୍ମୃତି କମିଟିର ଆବାହକ ଜୟବ୍ରତ ଦେ ଓ ଅନ୍ୟ କର୍ମକର୍ତ୍ତାମାନଙ୍କ ସହିତ ଏହାର ପୁନଃରୁଦ୍ଧାର ତଥା ବିକାଶ ନେଇ ତଥ୍ୟ ସଂଗ୍ରହ କରିଥିଲେ।

ସମ୍ବଲପୁର ରୁ ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *