ଖୋର୍ଦ୍ଧା / କେରଙ୍ଗ ; ତା-୧୧/୦୧ ( ବିଏମସି ଟିଭି ଓଡ଼ିଆ)

ସନ୍ତାନମାନଙ୍କୁ ସୁଶିକ୍ଷା ଦେବା ବାପ-ମାଙ୍କର ପରମ କର୍ତ୍ତବ୍ୟ । ଯୁବ ସୁଧାରରେ ହିଁ ସମାଜ ସୁଧାର । ବିଦ୍ୟା ଅର୍ଜନ କରିବା ସମସ୍ତ ବର୍ଗର ମୁସଲମାନମାନଙ୍କ ପାଇଁ ନିହାତି ଆବଶ୍ୟକ । ଜ୍ଞାନ ଅର୍ଜନ ଦ୍ବାରା ବିବେକ ସୃଷ୍ଟି ହୋଇଥାଏ । ବିବେକ ଦ୍ବାରା ମଣିଷ ଭଲ-ମନ୍ଦର ବିଚାର କରି ପାରିଥାଏ । ଏହିଭଳି ମତାମତ ପ୍ରକାଶ ପାଇଥିବାର ଦେଖାଦେଇଛି, କେରଙ୍ଗ ଅହମଦୀୟା ମୁସଲିମ ବସ୍ତିରେ ଆୟୋଜିତ ରାଜ୍ୟ ସ୍ତରୀୟ ଓ୍ବକଫେ ନୌ ବାର୍ଷିକ ଇଜତେମାରେ । ଏହି ବାର୍ଷିକ ଇଜତେମାର ଉଦଘାଟନୀ ଉତ୍ସବରେ ଅହମଦୀୟା ମୁସଲିମ ସଂଗଠନର ଶିକ୍ଷା ସଚିବ ମୌଲାନା ସେକ ଫରିଦ ପୌରୋହିତ୍ୟ କରିଥିଲେ ।


ମୁଖ୍ୟ ବକ୍ତା ଭାବେ ଜିଲ୍ଲା କଟକର ମୁଖ୍ୟ ଧର୍ମ ପ୍ରଚାରକ ମୌଲାନା ସେକ ଇସହାକ ଅଲ୍ଲି ଯୋଗଦେଇ ଓ୍ବକଫେ ନୌ ସନ୍ତାନଙ୍କ ଦାୟିତ୍ବ ତଥା ପୁସ୍ତକ “ଇସଲାମୀୟ ନିୟମର ଦର୍ଶନ”ର ପରିଚୟ ସଂପର୍କରେ ଆଲୋକପାତ କରିଥିଲେ । ସେ କହିଲେ, ପିଲାମାନେ ସର୍ବଦା ସତ କହିବା ଉଚିତ । ସତ କହିବା ଦ୍ବାରା ସାହାସ ବଢିଥାଏ । ସତ୍ କର୍ମକୁ ନିଅମିତ ଭାବେ କରିବା ଉଚିତ । ସର୍ବଦା ନମାଜ ପାଠ ଦ୍ବାରା ଆମେ ମନ୍ଦ କାର୍ଯ୍ୟରୁ ଦୂରେଇ ରହିବା । ଏବଂ ସଇତାନ କବଳରୁ ବଞ୍ଚିତ ରହିବା । ଫଳରେ ଭଲ ମଣିଷଟିଏ ହୋଇପାରିବା ।

ପୁସ୍ତକ “ଇସଲାମୀୟ ନିୟମର ଦର୍ଶନ” ପରିଚୟ ବିଷୟରେ କହିଲେ,ଏହି ପୁସ୍ତକ ପାଞ୍ଚଗୋଟି ପ୍ରଶ୍ନୋତ୍ତରକୁ ନେଇ ପର୍ଯ୍ୟବେଶିତ । ପ୍ରଶ୍ନଗୁଡିକ ହେଲା ୧.ମନୁଷ୍ୟର ଶାରୀରିକ,ନୈତିକ ଓ ଆଧ୍ୟାତ୍ମିକ ଅବସ୍ଥା ସମୂହ । ୨.ମୃତ୍ୟୁ ପରେ ମନୁଷ୍ୟର ଅବସ୍ଥା କ’ଣ ? ୩.ଏ ଦୁନିଆରେ ଜୀବନର ଲକ୍ଷ୍ୟ କ’ଣ ଓ ତାହା କିପରି ପ୍ରାପ୍ତ ହେବ ? ୪.ଧର୍ମବିଧାନର ବ୍ୟାବହାରିକ ନିର୍ଦ୍ଦେଶମାନର ଇହକାଳ ଓ ପରକାଳ ଜୀବନରେ ଭୂମିକା କ’ଣ ? ୫.ଦିବ୍ୟ ଜ୍ଞାନ ପ୍ରାପ୍ତିର ମାଧ୍ୟମଗୁଡିକ କ’ଣ ? ଏହି ପୁସ୍ତକଟି ବିଶ୍ବବ୍ୟାପ୍ତ ଅହମଦୀୟା ମୁସଲିମ ସଂଗଠନର ପ୍ରବର୍ତ୍ତକ ହଜରତ ମିର୍ଜା ଗୁଲାମ ଅହମଦଙ୍କ ଦ୍ବାରା ରଚିତ ପୁସ୍ତକ । ଏହି ପୁସ୍ତକଟି ବିଶ୍ବରେ ଖୁବ୍ ପ୍ରସିଦ୍ଧି ଲାଭ କରିପାରିଛି । ଏହାର ମୂଳ ଲେଖା ଉର୍ଦ୍ଦୁ ଭାଷା । ବିଶ୍ବର ଅନେକ ବଡ ବଡ ଭାଷାରେ ଏହାର ଅନୁବାଦ କରାଯାଇଛି । ଏହା ଏବେ ଓଡିଆ ଭାଷାରେ ଉପଲବ୍ଧ ।

ଏହି ଉଦଘାଟନୀ ଉତ୍ସବରେ ସମ୍ମାନୀତ ଅତିଥି ଭାବେ କେରଙ୍ଗ ସଭାପତି ଅମିରୁଦ୍ଦିନ ଖାଁ, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ମୁଖ୍ୟ ଧର୍ମପ୍ରଚାରକ ମୌଲାନା ମିର ଅବ୍ଦୁଲ ହଫିଜ, କଟକ ସହରର ମୌଲାନା ଫଜଲ ହକ ଖାଁ ଏବଂ କଟକ ଜିଲ୍ଲାର ଓ୍ବକଫେ ନୌ ସଚିବ ଯୋଗ ଦେଇଥିଲେ । ଉଦଘାଟନୀ ଉତ୍ସବ ପରେ ଓ୍ବକଫେ ନୌ ପିଲାମାନଙ୍କର ଧାର୍ମିକ କାର୍ଯ୍ୟକ୍ରମର ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ପ୍ରତିଯୋଗିତାରେ ପବିତ୍ର କୋରାନ ପାଠ ଆବୃତି, ଉର୍ଦ୍ଦୁ ନଜମ ସଂଗୀତଗାନ ପ୍ରତିଯୋଗିତା, ବକ୍ତୃତା ପ୍ରତିଯୋଗିତା, କୁଇଜ ପ୍ରତିଯୋଗିତା ହେବାର ରହିଛି । ଏହି କାର୍ଯ୍ୟକ୍ରମ ରବିବାର ସଂଧ୍ୟା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ପରିଚାଳନା କମିଟିର ସଚିବ ସୂଚନା ଦେଇଛନ୍ତି ।

ବିଏମସି ନ୍ୟୁଜ୍ ଓଡିଶା।
