ସମ୍ବଲପୁର ;ତା-୦୩/୦୨(ବିଏମସି ଟିଭି ଓଡିଆ)
କୃଷ୍ଣଙ୍କ ହାତରେ କଂସଙ୍କ ନିଧନ ପରେ ଉଗ୍ରସେନଙ୍କ ରାଜାଭିଷେକ ସହିତ ପରମାଣପୁର ଧନୁଯାତ୍ରା ଗତକାଲି ଉଦଯାପିତ ହୋଇଯାଇଛି। ଶ୍ରୀକୃଷ୍ଣ ଏବଂ ବଳରାମଙ୍କୁ ଧନୁଯାତ୍ରା ଦେଖିବା ଲାଗି ମଥୁରାକୁ ଆଣିବା ଦୃଶ୍ୟ ଓ ଗୋପପୁର ଠାରୁ ମଥୁରା ନଗରର ଛକ ଛକରେ ଭବ୍ୟ ସମ୍ବର୍ଦ୍ଧନା ନୁଆଁ ଜାଗରଣ ସୃଷ୍ଟି କରିଥିବା ଦେଖିବାକୁ ମିଳିଥିଲା। ମହାଦେବଙ୍କର ଦିବ୍ୟ ଧନୁକୁ ଭାଙ୍ଗିଦେବା ଓ ଅଷ୍ଟମଲ୍ଲ ମାନଙ୍କୁ ନିଧନ କରିବା, ଶ୍ରୀକୃଷ୍ଣ ତାଙ୍କର ପିତାମାତା ଦେବକୀ ଆଉ ବସୁଦେବଙ୍କୁ ଜେଲ ଘରୁ ମୁକ୍ତି କରିବା ଭଳି ଦୃଶ୍ୟାନ୍ତର ଖୁବ ହୃଦୟ ବିଦାରକ ଥିଲା। ଶେଷରେ ଶ୍ରୀକୃଷ୍ଣଙ୍କ ହାତରେ କଂସଙ୍କ ନିଧନ ପରେ ଜୟ ଶ୍ରୀକୃଷ୍ଣ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ରାଜଦରବାର।

ଶେଷରେ ଉଗ୍ରସେନଙ୍କୁ ଉଦ୍ଧାର କରି ରାଜାଭିଷେକ କରିବା ପରେ ଚଳିତବର୍ଷ ପରମାଣପୁର ଧନୁଯାତ୍ରାର ପରଦା ପଡିଥିଲା।ଆଜିର ରାଜକୀୟ ଅତିଥି ଭାବେ ସାମାଜିକ କର୍ମୀ ଡାକ୍ତର ରାଜାରାମ ଷଡ଼ଙ୍ଗୀ ଯୋଗଦେଇ ଧର୍ମ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ପରମାଣପୁର ଧନୁଯାତ୍ରା ଟ୍ରଷ୍ଟର ଭୂମିକାକୁ ଭୁୟସୀ ପ୍ରଶଂସା କରିଥିଲେ। ଏହି ଯାତ୍ରା ଦେଖିବାକୁ ଆସିଥିବା ଭରପୁର ଦର୍ଶକଙ୍କ ଉପସ୍ଥିତି ଫଳରେ ପରମାଣପୁର ଚଳଚଞ୍ଚଳ ହୋଇଉଠିଥିଲା। ଏହି ଅବସରରେ ମୀନା ବଜାର ସହିତ ବିଭିନ୍ନ କୁଟୀର ଶିଳ୍ପ ଘର କରଣା ଓ ଭଳିକି ଭଳି ଖାଦ୍ୟ ସାମଗ୍ରୀ ପସରାରେ ମଧ୍ୟ ବହୁ ଭିଡ଼ଥିବା ପରିଲକ୍ଷିତ ହୋଇଥିଲା।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।