ଭୁବନେଶ୍ୱର ; ତା-୦୬/୦୨ ( ବିଏମସି ଟିଭି ଓଡ଼ିଆ)
ଆଜିଠୁ ଆରମ୍ଭ ଖଣ୍ଡଗିରି ଯାତ୍ରା । ଯାତ୍ରା ପାଇଁ ଚଳଚଞ୍ଚଳ ଖଣ୍ଡଗିରି ନବବଧୂ ପରି ସଜେଇ ହୋଇଛି । ବିଭିନ୍ନ ଅପେରା ପାର୍ଟି ପକ୍ଷରୁ ନାଟକ ପରିବେଷଣ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ଅଶ୍ଲୀଳ ନାଚ କଲେ ଠେଙ୍ଗା ପାହାର ଖାଇବେ ବୋଲି ତାଗିଦ୍ କରିଛନ୍ତି ବିଧାୟକ । ସେପଟେ ରାଜ୍ୟର କୋଣ ଅନୁକୋଣରୁ ଲାଗିଲାଣି ବାବାଙ୍କ ଗହଳି ।

ଖଣ୍ଡମଣ୍ଡଳରେ କମ୍ପୁଛି ସାଧନାରେ ବ୍ରତି ବାବାଙ୍କ ଚମତ୍କାରର କଥା । ତେବେ ଏହି ବାବାଙ୍କ ମଧ୍ୟରେ ବି କିଛି ଭଣ୍ଡବାବା ରହିଛନ୍ତି । ଯିଏ କି ସ୍ପର୍ଶ କରିଦେଲେ ଦୂରାସାଧ୍ୟ ରୋଗ ଭଲ ହୋଇଯିବାର କଥା କହୁଛନ୍ତି । କହିବାକୁ ଗଲେ , ସାଧୁଙ୍କ ଭିତରେ ବି ବୁଲୁଛନ୍ତି ଭଣ୍ଡବାବା । ତେବେ ଆପଣ ବି ଯଦି ଖଣ୍ଡଗିରି ମେଳାକୁ ଯାଉଛନ୍ତି ତାହେଲେ ସାବଧାନ । କାରଣ ଆପଣ ବି ଏହି ଭଣ୍ଡବାବାଙ୍କ ଜାଲରେ ପଡିପାରନ୍ତି । ବିଭିନ୍ନ ସମସ୍ୟାର ସମାଧାନ ଖୋଜୁଥିବା ଲୋକମାନେ ସାଧୁସନ୍ଥଙ୍କ ଆଶିଷ ନେବାକୁ ଖଣ୍ଡଗିରି କୁମ୍ଭମେଳାକୁ ଯାଉଛନ୍ତି । କିନ୍ତୁ କିଛି ଭଣ୍ଡ ସାଧୁ ବେଶରେ ଲୋକଙ୍କ ଭାବନା ସହ ଖେଳୁଥିବାର ନଜର ଆସୁଛନ୍ତି ।

ଆମ ନ୍ୟୁଜର କ୍ୟାମେରାରେ କଏଦ୍ ହୋଇଥିଲା କିଛି ଏଭଳି ଦୃଶ୍ୟ । ଜଣେ ମହିଳା ଏ ମେଡିକାଲରୁ ସେ ମେଡିକାଲକୁ ଦୌଡ଼ି ଦୌଡ଼ି ଶେଷରେ ଦୀର୍ଘଦିନର ଆଣ୍ଠୁଗଣ୍ଠିର ଯନ୍ତ୍ରଣା ସହିନପାରି ଉପଶମ ଆଶାରେ ଖଣ୍ଡଗିରି ପାଦଦେଶରେ ଥିବା ସାଧୁଙ୍କ ପାଖକୁ ଆସିଛନ୍ତି । ଆଉ ଏହା ଜାଣିବା ପରେ ଜଣେ ଭଣ୍ଡ ସାଧୁ ଝଡାଫୁଙ୍କା କରିବାରେ ଲାଗିପଡିଛନ୍ତି। କେଉଁ ମନ୍ତ୍ର ପଢିଲେ, କେଉଁ ଚିକିତ୍ସା କଲେ ଏସବୁ ପଚାରିବାରୁ ଭଣ୍ଡ ବାବାଙ୍କ ପାଖରେ ନଥିଲା କିଛି ଉତ୍ତର । ଗୋଟିଏ ହାତରେ ଠେଙ୍ଗା ଆରହାତରେ ବସ୍ତାନୀ ଧରିଥିବା ଏହି ବାବାଙ୍କୁ ପ୍ରଶ୍ନ ପଚାରିଲେ ନାଲିଆଖି ଦେଖାଇ କ୍ୟାମେରା ଆଡେଇ ଆଗକୁ ପଳାଇଥିଲେ ଭଣ୍ଡବାବା ।

ବିଏମସି ନ୍ୟୁଜ୍ ଓଡିଶା।