ସମ୍ବଲପୁର ;ତା-୧୦/୦୨(ବିଏମସି ଟିଭି ଓଡିଆ)
କୁଚିଣ୍ଡା ଉପଖଣ୍ଡୀୟ ମହୁକୁମାସ୍ଥ ସାମ୍ବାଦିକ ଭବନ ପରିସରରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଏକ ଆଲୋଚନା ଚକ୍ର ଶନିବାର ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଦିଲିପ ପାଣିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଆଦିବାସୀ ବହୁଳ ତଥା ପଛୁଆ ଅଞ୍ଚଳର ବିକାଶରେ ସମସ୍ୟା , ଏହାର କାରଣ ଓ ପ୍ରତିକାର ସଂକ୍ରାନ୍ତରେ ଉପସ୍ଥିତ ବକ୍ତା ମାନେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ । କୁଚିଣ୍ଡା ସହରସ୍ଥ ପ୍ରାଚୀନ ଝୁଲେନ ସେତୁ ଭୁଷୁଡିବା ପରେ ଏହାର ପ୍ରତିବଦଳରେ ନିର୍ମାଣାଧିନ ସେତୁ କାମ ଏପର୍ଯ୍ୟନ୍ତ ସମାପନ ହୋଇନଥିବାରୁ ଉଦବେଗ ପ୍ରକାଶ ପାଇଥିଲା । ଉକ୍ତ ପୋଲ କାମ ସମେତ ବାମରା ଠାରେ ହେଉଥିବା ଓଭର ବ୍ରିଜକୁ ଶିଘ୍ର ସମାପନ କରିବାକୁ ଦାବି କରିଥିଲେ । ସେହିପରି ଦୀର୍ଘ ବର୍ଷ ଧରି ଅଚଳ ରହିଥିବା ସୂଚନା ଲୋକ ସମ୍ପର୍କ ବିଭାଗର କାର୍ଯ୍ୟାଳୟ ଏବଂ ପାଠାଗାରକୁ ଖୋଲିବାକୁ ସାମ୍ବାଦିକ ସଂଘ ଦାବି ରଖିଥିବାରୁ ସମର୍ଥନ ଜଣାଇ ପ୍ରଶାସନ ତୁରନ୍ତ ଖୋଲିବାକୁ ଏବଂ କଳାପରିଷଦକୁ କାର୍ଯ୍ୟକ୍ଷମ କରିବାକୁ ଦାବି କରିଥିଲେ । ସେହିପରି ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ନିକଟରେ ଥିବା ବିଜୁ ପାଠାଗାରକୁ ସାଧାରଣ ଲୋକ ବ୍ୟବହାର ଉପଯୋଗୀ କରିବାକୁ ଦାବି କରିଥିଲେ । ଉପଖଣ୍ଡର ବାମରା ଓ ଜମନକିରାରେ ପ୍ରସ୍ତାବିତ ଏକଲବ୍ୟ ବିଦ୍ୟାଳୟ ଦ୍ୱୟକୁ ତୁରନ୍ତ ସରକାର ଜମି ହସ୍ତାନ୍ତର କରି ପାଠପଢା ଆରମ୍ଭ କରିବାକୁ ଦାବି କରିଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷିତ କେନ୍ଦ୍ରୀୟ ବିଦ୍ୟାଳୟକୁ ତୁରନ୍ତ କାର୍ଯ୍ୟକାରୀ ଶିକ୍ଷାଦାନ କରିବାକୁ ଦାବି କରିଥିଲେ । କୁଚିଣ୍ଡା ମହାବିଦ୍ୟାଳୟରେ ବିପର୍ଯ୍ୟସ୍ଥ ଲାଇବ୍ରେରୀ କୁ ସଂପୂର୍ଣ୍ଣ ସଚଳ କରିବା ଏବଂ ଅର୍ଦ୍ଧନିର୍ମିତ ମୂଖ୍ୟ ଫାଟକକୁ ସଂପୂ୍ର୍ଣ୍ଣ କରିବାରେ ଅଯଥା ବିଳମ୍ବ ହେଉଥିବାରୁ ଉଦବେଗ ପ୍ରକାଶ କରିଥିଲେ । ସେହିପରି ଦିର୍ଘବର୍ଷରୁ କୁଚିଣ୍ଡା ମହାବିଦ୍ୟାଳୟରେ ପିଜି ବିଭାଗ ଖୋଲିବାକୁ ପ୍ରସ୍ତାବ ରହିଥିଲେ ମଧ୍ୟ ଆବେଦନ କରିନଥିବାରୁ ଏଠାକାର ଛାତ୍ରଛାତ୍ରୀ ମାନେ ଉଚ୍ଚଶିକ୍ଷାରେ ବଂଚିତ ହେଉଥିବା ଅଭିଯୋଗ କରିଥିଲେ । କଲେଜରେ ଥିବା ଆଭ୍ୟନ୍ତରୀଣ ବିଶୃଙ୍ଖଳା ଓ ମନମୁଖି କାର୍ଯ୍ୟର ସମାଲୋଚନା କରାଯାଇ ପ୍ରଶାସନ ଏଦିଗରେ ହସ୍ତକ୍ଷେପ କରବାକୁ ଦାବି କରିଥିଲେ । ସହରରେ ଥିବା ଡ୍ରେନେଜ ସମସ୍ୟା, ବ୍ୟସ୍ତବହୁଳ ପୁରୁଣା ବସଷ୍ଟାଣ୍ଡ ନିକଟ ରାସ୍ତାରେ ଟ୍ରାଫିକ ସମସ୍ୟା ଏବଂ ବିଭିନ୍ନ ଅଞ୍ଚଳର ରାସ୍ତା ପାର୍ଶ୍ୱ ଆଲୋକ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବାକୁ ଦାବି କରିଥିଲେ । କୁଚିଣ୍ଡା ଉପଖଣ୍ଡିୟ ମହୁକୁମାରେ ଦୀର୍ଘ ବର୍ଷ ରୁ ଏକ ରେଳ କାଉଣ୍ଟର ଖୋଲିବାକୁ ଦାବି ହେଉଥିବା ସତ୍ତ୍ୱେ ଖୋଲା ଯାଇନଥିବାରୁ ଉଦବେଗ ପ୍ରକାଶ ପାଇଥିଲା। ସେହିପରି ଭାରତ ସରକାରଙ୍କ ଚଳିତ ବଜେଟ ରେ ମଧ୍ୟ ଝାରସୁଗୁଡା – କୁଚିଣ୍ଡା – ଦେବଗଡ଼ କୁ ରେଳପଥ ସଂଯୋଗ ପାଇଁ ଅନୁଦାନ ଦେଇ ନଥିବାରୁ ଉଦବେଗ ପ୍ରକାଶ ପାଇଥିଲା । ମଞ୍ଚ ପକ୍ଷରୁ ଗତ ୧୦-୧୦-୨୦୨୪ ମସିହାରେ ମାନ୍ୟବର ପଞ୍ଚାୟତରାଜ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ରବିନାରାୟଣ ନାଏକଙ୍କୁ ବିଭିନ୍ନ ଉପାଦେୟ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୂରଣ ଦିଗରେ ପଦକ୍ଷେପ ନେଇନଥିବାରୁ ପୁନଃ ଦାବି ରଖିବାକୁ ପ୍ରସ୍ତାବ ଗ୍ରହଣ କରିଥିଲେ । ସଭାରେ ପ୍ରତିମାସ ଦିତୀୟ ଶନିବାର ଦିନ ଆଲୋଚନା ଚକ୍ର କରିବା ସକାଶେ ପ୍ରସ୍ତାବ ଗ୍ରହଣ କରିଥିଲେ । ଏହି ମର୍ମରେ ଆଗମୀ ଦିନରେ ଉପଖଣ୍ଡ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ସମେତ ମନ୍ତ୍ରୀଙ୍କ ସହ ଆଲୋଚନା କରି ଦାବି ରଖିବାକୁ ନିଷ୍ପତ୍ତି ହୋଇଥିବା ଜଣାଯାଇଛି । ସଭାରେ ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ନାଏକ, କୁଚିଣ୍ଡା ମହାବିଦ୍ୟାଳୟର ପୂର୍ବତନ ସଭାପତି ହରେକୃଷ୍ଣ ମହାପାତ୍ର, ଗ୍ରାହକ ପଞ୍ଚାୟତ ପ୍ରାନ୍ତୀୟ ସଂଯୋଜକ ତଥା ଅଧ୍ୟାପକ ସତ୍ୟନାରାୟଣ ପଟେଲ, ଶିକ୍ଷକ ନେତା ବିନୋଦ ସାହୁ, ଲାୟନ୍ସ କ୍ଲବ ସଭାପତି ଅତୁଲ ଅଗ୍ରୱାଲା, ବରିଷ୍ଟ ନାଗରିକ ସଂଘର ନନ୍ଦଲାଲ ପଟେଲ, ବନମାଳୀ ନାମଦେଓ ପ୍ରମୁଖ ଯୋଗ ଦେଇଥିଲେ । ସଭା ପ୍ରାରମ୍ଭରେ ନାଗରିକ ମଞ୍ଚର ଆବାହକ ପ୍ରଭାତ ବେହେରା ସ୍ୱାଗତ ବକ୍ତବ୍ୟ ଦେଇଥିଲେ ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।