ସମ୍ବଲପୁର ; ତା-୨୧/୧୨(ବିଏମସି ଟିଭି ଓଡିଆ)
ଆସନ୍ତା ଜାନୁଆରୀ ୪ ତାରିଖରୁ ଆୟୋଜିତ ହେବାକୁ ଥିବା ସମ୍ବଲପୁର ଲୋକ ମହୋତ୍ସବ ପରିପ୍ରେକ୍ଷୀରେ ଶନିବାର ସମ୍ବଲପୁର ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଲୋକ ମହୋତ୍ସବ ପ୍ରସ୍ତୁତି ବୈଠକରେ ସମସ୍ତ କମିଟି ନିଜ ନିଜର ବଜେଟ ଏବଂ କାର୍ଯ୍ୟକ୍ରମ ଆୟୋଜନରେ ଅଗ୍ରଗତି ସଂପର୍କରେ ମତାମତ ଉପସ୍ଥାପନ କରିଥିଲେ। ବୈଠକରେ ଆସନ୍ତା ରବିବାର ଦିନ ସମ୍ବଲପୁର ତପସ୍ୱିନୀ ପ୍ରେକ୍ଷାଳୟରେ ଉଦଘୋଷକ ଉଦଘୋଷିକା ଚୟନ ପ୍ରତିଯୋଗିତା ଆୟୋଜନ କରାଯିବା ନେଇ ଉଦ୍ଘୋଷକ କମିଟି ସୂଚନା ଦେଇଥିଲେ। ନୂତନ ଉଦ୍ଘୋଷକମାନଙ୍କୁ ସୁଯୋଗ ଦେବାପାଇଁ ଚେଷ୍ଟା କରାଯାଉଥିବା କମିଟି ପକ୍ଷରୁ କୁହାଯାଇଛି। ଆଗ୍ରହୀ ପ୍ରତିଯୋଗୀମାନଙ୍କୁ ଏହି ଚୟନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି। ଏଥିରେ ଓଡ଼ିଆ, ଇଂରାଜୀ,ହୀନ୍ଦି ଭାଷା ସହ ସମ୍ବଲପୁରୀ ଭାଷାକୁ ପ୍ରାଧାନ୍ୟ ଦିଆଯିବ। ସେହିପରି ଡିସେମ୍ବର ୨୫ ତାରିଖରେ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଚିତ୍ର କର୍ମଶାଳା ଅନୁଷ୍ଠିତ ହେବା ନେଇ ବୈଠକରେ ସୂଚନା ଦିଆଯାଇଛି। ଏଥିରେ ସମସ୍ତ ସ୍କୁଲ ଏବଂ କଲେଜରେ ଛାତ୍ରୀଛାତ୍ରଙ୍କୁ ସାମିଲ ହେବାକୁ ଅନୁରୋଧ କରାଯାଇଛି । ଯେଉଁମାନେ ପ୍ରଦର୍ଶନୀ ପାଇଁ ଚିତ୍ର ଦେବାକୁ ଚାହୁଁଛନ୍ତି ସେମାନଙ୍କୁ ପ୍ରଦର୍ଶନୀ ଉପ କମିଟୀ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି । ଚଳିତ ବର୍ଷ ଲୋକ ମହୋତ୍ସବ ପ୍ରଦର୍ଶନୀ ରେ ରଙ୍ଗୋଲୀ ଏବଂ ଝୋଟି ମଧ୍ୟ ପ୍ରଦର୍ଶନ କରାଯିବ ବୋଲିି ଜଣାପଡିଛି । ସେହିପରି ବିଭିନ୍ନ କମିଟି ନିଜର ଯୋଜନା ଉପସ୍ଥାପନ କରି ଆବଶ୍ୟକ ପରିବର୍ତ୍ତନ କରିବାକୁ ପ୍ରଶାସନକୁ ଅନୁରୋଧ କରିଥିଲେ। ବୈଠକରେ ମହାନଗର ନିଗମ କମିଶନର ବେଦ ଭୂଷଣ, ଅତିରିକ୍ତ ଜିଲ୍ଲାପାଳ ସୁଚାରୁ ବଳ, ଉପଜିଲ୍ଲାପାଳ ଡ଼ ପୁଷ୍ପାଞ୍ଜଳି ପଣ୍ଡା, ଜିଲା କ୍ରୀଡା ଅଧିକାରୀ ସତ୍ୟ ନାରାୟଣ ତାଣ୍ଡି, ଲୋକ ମହୋତ୍ସବ୨୦୨୫ର ସଂଯୋଜକ ପ୍ରଫୁଲ୍ଲ ହୋତାଙ୍କ ସମେତ ସମସ୍ତ କମିଟିର କର୍ମକର୍ତ୍ତା ବୈଠକରେ ସାମିଲ ହୋଇଥିଲେ। ଏହି ଅବସରରେ ସମ୍ବଲପୁର ଲୋକ ମହୋତ୍ସବ ପାଇଁ ଅତିଥିମାନଙ୍କ ଦ୍ବାରା ପୋଷ୍ଟର ଉନ୍ମୋଚନ କରାଯାଇଥିଲା। ଲୋକ ମହୋତ୍ସବର ଆଲୋଚନା ଚକ୍ର ସମ୍ବଲପୁର ସମେତ ରେଢ଼ାଖୋଲ ଏବଂ କୁଚିଣ୍ଡା ଉପଖଣ୍ଡରେ ଅନୁଷ୍ଠିତ ହେବ। ଚଳିତ ମାସ ୨୩ ତାରିଖରେ ରେଢ଼ାଖୋଲ ଉପଖଣ୍ଡର ନାକଟିଦେଉଳ କଲେଜ ଏବଂ ୩୦ ତାରିଖରେ କୁଚିଣ୍ଡା ଉପଖଣ୍ଡର କୁଚିଣ୍ଡା କଲେଜ୍ ରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବ। ବିଷୟ ରହିଛି ‘ଉପଖଣ୍ଡରେ ଲୋକ ନାଟକର ସ୍ଥିତି ଓ ବିକାଶ’।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।