ବରଗଡ ; ତା-୨୩/୦୨(ବିଏମସି ଟିଭି ଓଡ଼ିଆ)
ବାରାଣାସୀ ର ବିଶ୍ଵ ହିନ୍ଦୁ ୟୁନଭରସିଟିରେ ବିଜ୍ଞାନ କେନ୍ଦ୍ର ର ଯୁବା ମହୋତ୍ସବ ଆକାଂକ୍ଷାରେ ଛାତ୍ରଛାତ୍ରୀ ଙ୍କ ତର୍କ ବିତର୍କ, ରଚନା,ଛୋଟ ଗଳ୍ପ, ଚିତ୍ରାଙ୍କନ, ଚିତ୍ରକଳା, ନୃତ୍ୟ, ଶାସ୍ତ୍ରୀୟ ଓ ବୈଦେଶିକ ଗିତ ଗାନ, ବାଦ୍ୟ , ମେହେନ୍ଦି,ରଙ୍ଗୋଲି ସହିତ ୩୦ ଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସ୍ୱତନ୍ତ୍ରତା ଭବନ ସଭା କକ୍ଷରେ ସମାପନ ସମାରୋହରେ ବି ଡି ଏ ଉପାଧ୍ୟକ୍ଷ ପୁଲକିତ ଗର୍ଗ ଛାତ୍ରଛାତ୍ରୀମାନଙ୍କୁ ସଫଲତା ର ମନ୍ତ୍ର ଦେଇ କହିଥିଲେ ଯେ ଜୀବନର ଲକ୍ଷ୍ୟ ପୂରଣ କରିବା ପାଇଁ ଖେଳ, ମନୋରଞ୍ଜନ ଏବଂ ଶିକ୍ଷାର ଉଚିତ ସମ୍ମିଶ୍ରଣ ଜରୁରୀ ଅଟେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶ୍ରେଣୀର ୮୦ ଜଣ ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା। ବିଜ୍ଞାନ କେନ୍ଦ୍ର ର ଶାଖା ପ୍ରମୁଖ ପ୍ରଫେସର ଏସ୍ କେ ଉପାଧ୍ୟାୟ ବିଦ୍ୟାଳୟ ର ଏହି ପଦକ୍ଷେପ କୁ ଭୂୟସୀ ପ୍ରଶଂସା କରି କହିଥିଲେ ଯେ କରୋନା ମହାମାରୀ ର ପାଞ୍ଚ ବର୍ଷ ପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

କାର୍ଯ୍ୟନିର୍ବାହୀ କୂଲପତି ପ୍ରୋଫେସର ସଂଜୟ କୁମାର ଛାତ୍ରଛାତ୍ରୀ ଙ୍କ ଏହି ଉତ୍ସାହ ଏବଂ ଶକ୍ତିକୁ ପ୍ରସଂଶା କରିଥିଲେ। ପୁରସ୍କାର ବିତରଣ ପରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଛାତ୍ରଛାତ୍ରୀମାନେ ନିଜ ନିଜ କଲାକାରୀ ଯୋଗୁଁ ସଭିଙ୍କ ମନ ଜିଣି ପାରିଥିଲେ।ଏହି ଅବସରରେ ନୃତ୍ୟ ପ୍ରତିଯୋଗିତାରେ ବରଗଡ଼ ଜିଲ୍ଲା ଅତାବିରା ର ଝିଅ ଆଂଚଲ ସୁସାରି ଓ କଟକର ଝିଅ ସୋମ୍ୟାଲିପି ଦାଶ ଦ୍ୱିତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ । ଦୁହେଁ ଏକାଠି ମିଶି ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ସବୁଠାରୁ ଗର୍ବର ବିଷୟ ଏହା ଯେ ଦେଶର କୋଣ ଅନୁକୋଣରୁ ଭିନ୍ନ ଭିନ୍ନ କଳାରେ ପାରଦର୍ଶିତା ଅର୍ଜନ କରିଥିବା ଭିନ୍ନ ଭିନ୍ନ ଭାଷା ସଂସ୍କୃତି ର ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଅତାବିରା ର ଆଂଚଲ ସୁସାରି ଆମ ପଶ୍ଚିମ ଓଡ଼ିଶା ର ସୁପ୍ରସିଦ୍ଧ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ଦ୍ୱିତୀୟ ସ୍ଥାନ ହାସଲ କରି ଗୋଲ୍ଡ ମେଡାଲ ରେ ପୁରସ୍କୃତ ହୋଇଥିଲେ।

ଯାହାକି ଆମ ପାଇଁ ଖୁବ୍ ଗର୍ବର ବିଷୟ। ସମ୍ବଲପୁରୀ ଭାଷା,ସାହିତ୍ୟ, ସଂସ୍କୃତି , ଗୀତ, ନୃତ୍ୟ ,ରୀତିନୀତି ପରମ୍ପରା, ବସ୍ତ୍ର ଆଜି ବିଶ୍ୱ ଦରବାରରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରି ସାରିଛି। ଆଂଚଲ ହେଉଛନ୍ତି ଅତାବିରା ର ପିତା ଶିବାଜୀ ସୁଶାରି ଏବଂ ମାତା ମମତା ସୁଶାରିଙ୍କ ଝିଅ।ସେ ଲାଦେରପାଲି ଶ୍ରୀ ଅରବିନ୍ଦ ସ୍କୁଲରେ ୫ ବର୍ଷ ପଢିବା ପରେ ନବୋଦୟ ବିଦ୍ୟାଳୟରେ ପାଠପଢ଼ି ଥିଲେ।ସେ ଜଣେ ମେଧାବୀ ବିଜ୍ଞାନ ଛାତ୍ରୀ ଥିଲେ। ଏହା ପରେ ବନାରସ ର ବିଶ୍ଵ ହିନ୍ଦୁ ୟୁନିଭରସିଟିରେ ନାମ ଲେଖାଇ ପାଠ ପଢା ଆରମ୍ଭ କରିଥିଲେ।ତାଙ୍କ ଏହି ସଫଳତା ପଛରେ ବାପା ମାଁ ଙ୍କ ଅବଦାନ ରହିଛି ବୋଲି ସେ କହିଛନ୍ତି। ଏନେଇ ବରଗଡ଼ ଜିଲ୍ଲା ତଥା ଅତାବିରା ର ଆଖପାଖ ଅଂଚଳରୁ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ସହ ପ୍ରଶଂସା ର ସୁଅ ଛୁଟୁଛି।

ବରଗଡ଼ ରୁ ଜିଲ୍ଲା ପ୍ରତିନିଧି ଦୁର୍ଲ୍ଲଭ ଗଡତିଆଙ୍କ ରିପୋର୍ଟ
ବିଏମସି ନ୍ୟୁଜ ଓଡିଶା।