ସମ୍ବଲପୁର: ତା.୩୧/୦୫(ବିଏମସି ଟିଭି ଓଡିଆ)
ବରପାଲିର ୧୪୮ ତମ ଶୀତଳ ଷଷ୍ଠୀ ଯାତ୍ରାରେ ଶୁକ୍ରବାର ଗଣ୍ଠିଆଳ ଫିଟା କାର୍ଯ୍ୟକ୍ରମ ପରେ ପରେ ସନ୍ଧ୍ୟାରେ ବରାନୁଗମନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସକାଳ ପ୍ରାୟ ୧୦ଟା ରେ କପିଳେଶ୍ଵର ବାବା ଓ ମାତା ପାର୍ବତୀଙ୍କ ଏକ ଶୋଭାଯାତ୍ରା ନଗର ପରିକ୍ରମା କରି ଶିବାଜୀ କ୍ଲବ ଠାରେ ପହଞ୍ଚି ଗତ ବର୍ଷର କନ୍ୟା ପିତାମାତା ପରମେଶ୍ବର ମେହେର ଓ ନୀର ମେହେରଙ୍କ ଦ୍ଵାରା ଗଣ୍ଠିଆଳ ଫିଟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗଣ୍ଠିଆଲ ଫିଟା ପରେ ଶିବ ପାର୍ବତୀଙ୍କୁ ମାତ୍ର ୨୪ ଘଣ୍ଟା ପାଇଁ ଅଲଗା କରାଯାଇ ମାତା ପାର୍ବତୀ ହୀମାଦ୍ରୀ ନଗର ଓ କପିଳେଶ୍ଵର ବାବା ଭଣ୍ଡାର ଗୃହକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଅନ୍ୟ ପକ୍ଷରେ ହୀମାଦ୍ରୀ ନଗର ପକ୍ଷରୁ ମହିଳା ମାନଙ୍କ ଏକ ବିରାଟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।

ମାତା ପାର୍ବତୀ ଙ୍କୁ ଶ୍ରଦ୍ଧା ସହକାରେ ହୀମାଦ୍ରୀ ନଗର ଶୈବ ଭକ୍ତଙ୍କ ପକ୍ଷରୁ ଭବ୍ୟ ସମାରୋହରେ ଅଣାଯାଇଥିଲା । କନ୍ୟାପକ୍ଷ ହୀମାଦ୍ରୀ ନଗର ଓ ବରପକ୍ଷ ଭଣ୍ଡାର ଗୃହଠାରେ ତେଲ ହଳଦି କାଯ୍ୟକ୍ରମ ଅନୁଷ୍ଠିତ ହେlଇଥିଲା। ସନ୍ଧ୍ୟାରେ ତହସିଲ ଛକ ଜଗଦମ୍ବା କ୍ଲବରୁ ଶୈବ ଭକ୍ତ ଘଣ୍ଟ ଦୁଲ୍ଦୁଲି ବାଦ୍ୟ ଶହ ଏକ ଶୋଭାଯାତ୍ରାରେ ଭଣ୍ଡାର ଗୃହ ଯାଇ କପିଳେଶ୍ଵର ବାବାଙ୍କୁ ତହସିଲ ଛକକୁ ଆଣିଥିଲେ । ରାତ୍ରରେ କପିଳେଶ୍ଵର ବାବାଙ୍କ ବିରାଟ ବରାତି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରାରେ କୁସଙ୍ଗର ଜ୍ୟୋତି ଦୁଲ୍ ଦୁଲୀ, ପତ୍ରାପାଲି ଦୁଲ୍ଦୁଲି, ମହାବୀର ସାଂସ୍କୃତିକ ଅନୁଷ୍ଠାନର ଘୁମୁରା, ମାଲକାନଗିରିର ଢ଼ାପ, ବନାରସର ଅଘୋରି ନୃତ୍ୟ, ରାଜସ୍ଥାନୀ ନୃତ୍ୟ, ଉଜ୍ଜୟିନୀ ର ମହାକାଲ ଡମ୍ବରୁ ନୃତ୍ୟ, ଦେବଦାସୀ ନୃତ୍ୟ, ଦଣ୍ଡା ନୃତ୍ୟ, ଦୁର୍ଗ୍ର ଧୁମାଲ, ଘଣ୍ଟ ବାଦ୍ୟ, ରାୟପୁରର ଭାଙ୍ଗଡା, ନାସିକର ଢୋଲ, ଆସାମର ବିହୁ, ପଶ୍ଚିମ ବଙ୍ଗଳାର ମହିଳା ଢ଼ାକି, ରାଜଗାଙ୍ଗପୁରର ଆଦିବାସୀ ନୃତ୍ୟ, ମୟୁରୀ ନୃତ୍ୟ, ନୃତ୍ୟ କଳା ସାଂସ୍କୃତିକ ଅନୁଷ୍ଠାନ ଭବାନୀ ପାଟଣା ଆଦି ବହୁ ସାଂସ୍କୃତିକ ଦଳ ବରଯାତ୍ରୀ ଶୋଭାଯାତ୍ରାରେ ସାମିଲ୍ ହୋଇ ନିଜନିଜର କଳା ପ୍ରଦର୍ଶନ କରିଥିଲେ ।

ବରଯାତ୍ରୀ ଶୋଭାଯାତ୍ରା ତହସିଲ ଛକରୁ ବାହାରି ଗାନ୍ଧୀ ଛକ, ସରକାରୀ ଡାକ୍ତରଖାନା ଛକ ଦେଇ ଦୂର୍ଗା ମନ୍ଦିର ଛକ ରେ ଭୋର୍ରେ ପହଞ୍ଚିବା ପରେ କନ୍ୟାପକ୍ଷରୁ ବରଯାତ୍ରୀଙ୍କୁ ଭବ୍ୟ ସ୍ଵାଗତ କରି ବାଟ ବରଣ କରା ଯାଇଥିଲା । ଆଜି ଶନିବାର ସକାଳେ ଶୁଭ ଲଗ୍ନ ରେ ଦେବ ଦମ୍ପତ୍ତିଙ୍କ ବୈବାହିକ କାର୍ଯ୍ୟ ସମାପନ ହେବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି। ଗତ ରାତିରେ ସହରର ବିଭିନ୍ନ ଛକରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ୟ ପକ୍ଷରେ ତାରକାସୁରର ନଗର ପରିକ୍ରମା ପରେ ରଙ୍ଗସଭାରେ ଭିଡ଼ ପରିଲକ୍ଷିତ ହୋଇଥିଲା। ଏଥର କନ୍ୟା ଓ ବର ଉଭୟ ପକ୍ଷରୁ ଯାତ୍ରାର ବିରାଟ ଆୟୋଜନ କରାଯାଇଥିଲା। ଅବଶ୍ୟ ବର୍ଷା ଲାଗି ରହିଥିବାରୁ ଭକ୍ତଗଣ ଓ ଆ଼ୟୋଜକମାନେ କିଛି ମାତ୍ରାରେ ନିରାଶ ହୋଇଥିଲେ।

ସମ୍ବଲପୁର ରୁ ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।