ସମ୍ବଲପୁର ; ତା.୨୮/୧୨ (ବିଏମସି ଟିଭି ଓଡିଆ)
ବରପାଲି ମହାବିଦ୍ୟାଳୟ ତ୍ରିଦିବସୀୟ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଶନିବାର ଉଦଘାଟିତ ହୋଇଯାଇଛି । ପୁର୍ବାହ୍ନରେ ଏକ ଶୋଭାଯାତ୍ରା ବାହାରି ପରିକ୍ରମା ମାଧ୍ୟମରେ ସମଲେଶ୍ଵରୀ ମନ୍ଦିର ବାଟଦେଇ ଗଙ୍ଗାଧରଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି, ମହାତ୍ମା ଗାନ୍ଧୀଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ପୁଷ୍ପମାଳ ଅତିଥି ମାନଙ୍କ ଦ୍ବାରା ଅର୍ପଣ କରାଯାଇଥିଲା। ପ୍ରଥମ ଅଧିବେଶନରେ ମୂଖ୍ୟଅତିଥି ବିଧାୟକ ସନତ ଗଡତିୟା, ମହାବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଜୟନ୍ତୀ ଦାଶ, ସୁବର୍ଣ୍ଣ ଜୟନ୍ତୀ ସମାରୋହ କମିଟୀ ସଭାପତି ଡ. ରବୀନ୍ଦ୍ର ଗଡତିଆ ଏବଂ ସମ୍ପାଦକ ଅଧ୍ୟାପକ ସୁବଳ ମେହେର ମଞ୍ଚାଶିନ ହୋଇଥିଲେ। ଆଇ. ଆଇ. ଏମ୍ ସମ୍ବଲପୁର ନିର୍ଦ୍ଦେଶକ ପ୍ରଫେସର ଡ. ମହାଦେବ ଜୟସ୍ଵାଲ ବିଶିଷ୍ଟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାର ଉପଯୋଗିତା ସମ୍ପର୍କରେ ବୁଝାଇଥିଲେ । ସମ୍ମାନିତ ଅତିଥି ଭାବରେ ରୀନା ଥଇତ ଅଧ୍ୟକ୍ଷା ବରପାଲି ପଞ୍ଚାୟତ ସମିତି ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବରେ ଦିନେଶ ଗହୀର, ଅଧ୍ୟକ୍ଷ, ବିଜ୍ଞାପିତ ଅଞ୍ଚଳ ପରିଷଦ ବରପାଲି ଯୋଗଦେଇ ପଚାଶ ବର୍ଷରେ ପାଦ ଥାପିଥିବା ବରପାଲି ମହାବିଦ୍ୟାଳୟର ସୁଦୀର୍ଘ ଇତିହାସ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

ଏହି ଅବସରରେ ବରପାଲି ଅଞ୍ଚଳର ସୁଯୋଗ୍ୟ ସନ୍ତାନ ବିଶିଷ୍ଟ ବାନ୍ଧଶିଳ୍ପୀ ପଦ୍ମଶ୍ରୀ କୁଞ୍ଜବିହାରୀ ମେହେରଙ୍କୁ ମରଣୋତ୍ତର ଭାବେ ଏବଂ ବିଶିଷ୍ଟ ଶବ୍ଦନୃତ୍ୟ ଗୁରୁ ପଦ୍ମଶ୍ରୀ ଭାଗବତ ପଧାନଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଏହା ସହିତ ସ୍ଵାଧୀନତା ସଂଗ୍ରାମୀ ଭାଗିରଥୀ ପଟ୍ଟନାୟକଙ୍କ ପରିବାର ତଥା ରତ୍ନପ୍ରସୂ ସେବତୀ ସାହୁ ଓ ସୁରୁ ସାହୁଙ୍କ ପରିବାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅଧ୍ୟାପକ ସରୋଜ ଦାଶଙ୍କ ସଂଯୋଜନାରେ ପରିଚାଳିତ ହୋଇଥିବା ବେଳେ ସୁଦାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସହଯୋଗ କରିଥିଲେ ଅଧ୍ୟାପକ ଉତ୍ତର କୁମାର ଗଡତିଆ, ଡ. ସମ୍ବିତା ପ୍ରଧାନ, ଡ. ବିଶ୍ଵନାଥ ସାହୁ,ମନିଷା ଦାଶ ଏବଂ ସୁଧୀର ଗଡତିଆ ।

ପ୍ରଥମ ଦିନର ଦ୍ବିତୀୟ ଅଧିବେଶନରେ ମହାବିଦ୍ୟାଳୟର ବାର୍ଷିକୋତ୍ସବ ପାଳିତ ହୋଇଥିଲା । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ଜୟନ୍ତୀ ଦାଶ ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ଡ. ପ୍ରଭାସ ସିଂ, ପୂର୍ବତନ ସାଂସଦ, ବରଗଡ଼ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଶ୍ରୀମତୀ ରୀତା ସାହୁ, ପୂର୍ବତନ ମନ୍ତ୍ରୀ, ଓଡ଼ିଶା ସରକାର ଏବଂ ବିଶିଷ୍ଟ ସାହିତ୍ୟିକ ଡ. ରବୀନ୍ଦ୍ର ଗଡତିଆ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବରେ ସତଲମା ମହାବିଦ୍ୟାଳୟର ଅଧ୍ୟାପକ ଲୋକବନ୍ଧୁ ପଧାନ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧିତ କରିଥିଲେ । ଏମାନଙ୍କ ସହିତ ମଞ୍ଚମଣ୍ଡନ କରିଥିଲେ ପ୍ରାଧ୍ୟାପକ ସୁଶୀଲ କୁମାର ଶତପଥୀ, ପ୍ରାଧ୍ୟାପିକା ମମତା ସାହୁ ପ୍ରମୁଖ । ପ୍ରାରମ୍ଭିକ ସଭା ପରେ ଛାତ୍ରଛାତ୍ରୀଙ୍କଦ୍ଵାରା ନାଟ୍ୟକାର ଶୁଭମ୍ କୁମାର ବାରିକଙ୍କ ରଚିତ ଏବଂ ଆଲୋକ କୁମାର ନାଗଙ୍କ ନିର୍ଦ୍ଦେଶିତ ‘ ସମିଆର ଖେଲ୍ ‘ ନାଟକ ପ୍ରଦର୍ଶିତ ହୋଇଥିଲା । ଶେଷରେ ଛାତ୍ରଛାତ୍ରୀମାନଙ୍କଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଭା ସଂଯୋଜନା କରିଥିଲେ ଅଧ୍ୟାପକ ଉତ୍ତର କୁମାର ଗଡତିଆ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ଅଶୋକ କୁମାର ପଧାନ । ଏ ଅବସରରେ ଶ୍ରୀଯୁକ୍ତ ସନତ କୁମାର ଗଡତିଆ, ମାନ୍ୟବର ବିଧାୟକ, ବିଜେପୁରଙ୍କ କରକମଳରେ ମହାବିଦ୍ୟାଳୟର ପ୍ରାଚୀର ପତ୍ରିକା ‘ବାସନ୍ତୀ’ ଉନ୍ମୋଚିତ ହୋଇଥିଲା ।

ସମ୍ବଲପୁରରୁ ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।