ସମ୍ବଲପୁର: ତା.୧୬/୫(ବିଏମସି ଟିଭି ଓଡିଆ)
ପୂର୍ବତନ ବାମଣ୍ଡା ରାଜ୍ୟରେ ବର୍ତ୍ତମାନର କୁଚିଣ୍ଡା ଉପଖଣ୍ଡ ସାମିଲ ଥିଲା । ଆଜି ଉପଖଣ୍ଡର ସଦର ମହକୁମା ସ୍ଥିତ ଆଦିବାସୀ ଭବନରେ ବିଶିଷ୍ଟ ସାହିତ୍ୟିକ ଓ ସମାଜସେବୀ ସୁବାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ପୂର୍ବ ବାମଣ୍ଡାର ଜଣେ ସୁଶାସକ ଭାବରେ ଖ୍ୟାତ ବାସୁଦେବ ସୁଢ଼ଳ ଦେବଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ମୁଖ୍ୟ ଅତିଥି ଓ ସୁନ୍ଦରଗଡ଼ର ଷ୍ଟେଟ ବ୍ୟାଙ୍କର ଅବସର ପ୍ରାପ୍ତ ଶାଖା ପରିଚାଳକ ଜଗନ୍ନାଥ ଲାକ୍ରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସଭାପତି ଓ ଅତିଥି ଗଣ ସୁଢଳ ଦେବଙ୍କ ଫଟୋ ଚିତ୍ର ସମ୍ମୁଖରେ ଦୀପ, ଧୂପ ଓ ପୁଷ୍ପାର୍ଘ୍ୟ ଅର୍ପଣ କରିବା ସହ ତାଙ୍କ ଭାଷଣରେ ସେତେ ବେଳେ ଓଡ଼ିଶା ଗଠନ ହୋଇ ନ ଥିଲେ ବି ବିଜୁଳି ବତୀ, ଛାପାଖାନା , ଯୋଗାଯୋଗ , ପାନୀୟ ଜଳ ଆଦିର ସୁଯୋଗ ସୃଷ୍ଟି କରି ଭାବି ଓଡ଼ିଶା ଏବଂ ସାହିତ୍ୟ ପତ୍ରିକା ପ୍ରକାଶନ ଓ କବିଙ୍କୁ ସମ୍ବର୍ଦ୍ଧନା ଦେଇ ଓଡ଼ିଆ ଭାଷା ଓ ସାହିତ୍ୟ ର ପ୍ରଗତି ପାଇଁ ବାଟ ଫିଟେଇ ଥିଲେ ବୋଲି କହିଥିଲେ । ପ୍ରାରମ୍ଭରେ କାର୍ଯ୍ୟକ୍ରମର ଅନ୍ୟତମ ଆବାହକ ପୂର୍ବତନ ବ୍ଲକ ଅଧ୍ୟକ୍ଷ କରୁଣାକର କିସାନ ସ୍ଵାଗତ ଭାଷଣ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଜମନକିରା ବ୍ଲକର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଜେମା ଦେଇ ମାଝି, ଆଦିବାସୀ ନେତା ପଞ୍ଚାନନ ପ୍ରଧାନ, ଅଲେଖ ପତି , ରଜନୀ ପଟେଲ ପ୍ରମୁଖ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶେଷରେ ପାଣ୍ଡବ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।