ମୟୂରଭଞ୍ଜ ; ତା-୧୪/୦୨(ବିଏମସି ଟିଭି ଓଡ଼ିଆ)
ଓଡିଶାରେ ବିଭିନ୍ନ ସମୟରେ ଆକସ୍ମିକ ତଥା ଅପ୍ରତ୍ୟାଶିତ ଭାବେ ଘଟୁଥିବା ବିଭିନ୍ନ ପ୍ରକାର ପ୍ରାକୃତିକ
ବିପର୍ଯ୍ୟୟକୁ ପରିଚାଳନା କରିବାରେ ଓଡିଶା ବିଶ୍ୱରେ ଉଦାହରଣ ସୃଷ୍ଟି କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ପ୍ରସାଶନ ସ୍ତରରେ ବିଭିନ୍ନ ବିଭାଗର ସମନ୍ୱିତ ସହଯୋଗ ତଥା ଓଡିଶା ବିପର୍ଯ୍ୟୟ ପରିଚାଳନା କତୃପକ୍ଷଙ୍କ ଅଧୀନରେ ଉତ୍ସର୍ଗୀକୃତ ସେବା ପ୍ରଦାନ କରୁଥିବା ଯୋଦ୍ଧାମାନଙ୍କ ଆପ୍ରାଣ ଉଦ୍ୟମରେ ଅତୀତରେ ଅନେକ ଥର ବିପର୍ଯ୍ୟୟ ଜନିତ “ଶୂନ୍ୟ ମୃତ୍ୟୁ” ର ଲକ୍ଷ୍ୟକୁ ହାସଲ କରାଯାଇଛି । ଓଏସଡ଼ିଏମଏ ତରଫରୁ ବିପର୍ଯ୍ୟୟର ପ୍ରାକ ପ୍ରସ୍ତୁତି, ବିପର୍ଯ୍ୟୟ ସମୟରେ ଉଚିତ ପଦକ୍ଷେପ ଦ୍ୱାରା ଏହାର ମୁକାବିଲା ଏବଂ ବିପର୍ଯ୍ୟୟ ପରବର୍ତୀ ସମୟରେ ଜୀବନ ଜୀବିକା ପାଇଁ ପୁନଃରୁଦ୍ଧାର କାର୍ଯ୍ୟ ଇତ୍ୟାଦି ସମସ୍ତ କାର୍ଯ୍ୟରେ ନୂତନ ଜ୍ଞାନକୌଶଳ ଉପଯୋଗ କରି ଉତ୍ତମ ପରିଚାଳନା ଦ୍ୱାରା ବିପର୍ଯ୍ୟୟର ଦୃଢ ମୁକାବିଲା କରାଯାଉଥିଲେ ମଧ୍ଯ ସମୟର ପରିବର୍ତନ ଧାରାରେ ପରିଚାଳନାକୁ ଆହୁରି କିଛି କ୍ଷେତ୍ରରେ ସୁଦୃଢ କରିବାର ଆବଶ୍ୟକତା ଦେଖା ଦେଇଛି। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷଠାରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କତୃପକ୍ଷ, ଭୁବନେଶ୍ୱର ଏବଂ ଜିଲ୍ଲା ଵିପର୍ଯ୍ୟୟ ପରିଚାଳନା କତୃପକ୍ଷ, ମୟୂରଭଞ୍ଜଙ୍କ ମିଳିତ ସହଯୋଗରେ “ବିପର୍ଯ୍ୟୟ ବିପଦ ହ୍ରାସ ନିମନ୍ତେ ମୁଖ୍ୟସ୍ରୋତ ଲିଙ୍ଗ ଅନ୍ତର୍ଭୁକ୍ତିକରଣ” ଶୀର୍ଷକ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସବିତା ମାଝୀ, ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା, ଏଡିଏମଓ ବିଜୟ କୁମାର ଦାସ ପ୍ରମୁଖ ଯୋଗ ଦେଇଥିବାବେଳେ ଭୁବନେଶ୍ୱର ଓଏସଡିଏମଏ ର ସାଧାରଣ ପରିଚାଳକ ତାପସ କୁମାର ସେଠୀ ପ୍ରମୁଖ କର୍ମଶାଳା ସଂଚାଳନ କରିଥିଲେ ।

ପ୍ରାରମ୍ଭରେ ଜିଲ୍ଲା ଜରୁରୀକାଳୀନ ଉପବିଭାଗର ଡେପୁଟି କଲେକଟର ମିସ ଶ୍ରଦ୍ଧା ସୁମନ ସ୍ୱାଗତ ଭାଷଣ ପ୍ରଦାନ କରି କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।ଏହାପରେ ସାଧାରଣ ପରିଚାଳକ ତାପସ ସେଠୀ ତାଙ୍କ ବକ୍ତବ୍ୟରେ କହିଥିଲେ କି ବିପର୍ଯ୍ୟୟ ପରିଚାଳନାରେ ବିପଦ ହ୍ରାସ ନିମନ୍ତେ ପ୍ରଥମ କରି ନୂତନ ଚିନ୍ତାଧାରା (Concept)ମୁଖ୍ୟସ୍ରୋତ ଲିଙ୍ଗ ଅନ୍ତର୍ଭୁକ୍ତିକରଣକୁ ପରିଚାଳନା ପରିସରଭୁକ୍ତ କରାଯାଇଛି । ଏହି ଏକ୍ସନ ପ୍ଲାନ ପ୍ରସ୍ତୁତିର ମୁଖ୍ୟ କାର୍ଯ୍ୟ ହେଉଛି ବିପର୍ଯୟର ପ୍ରଭାବ ଲିଙ୍ଗ ଭିତ୍ତିରେ ସମ୍ବେଦନଶୀଳ ବା ଦୁର୍ବଳ ବର୍ଗଙ୍କ ଉପରେ କେତେ ମାତ୍ରାରେ ରହୁଛି ଏବଂ ପ୍ରଭାବ ଅନୁସାରେ ସେମାନଙ୍କ ପାଇଁ ପରିଚାଳନାରେ କିଛି ବ୍ୟବସ୍ଥା ରହିଛି କି ନାହିଁ।ଏଥିପାଇଁ ଗ୍ରାମପଞ୍ଚାୟତ ୱାରୀ ଗୋଟିଏ ଜି ପି ରେ କେତେ ମହିଳା, କେତେ ଆସନ୍ନପ୍ରସବା ମହିଳା,କେତେ ତୃତୀୟ ଲିଙ୍ଗି, କେତେ ବୃଦ୍ଧ ବୃଦ୍ଧା, ବିଭିନ୍ନ ବୟସର ପୁତ୍ର କନ୍ୟା ସଂଖ୍ୟା, ଛାତ୍ର ଛାତ୍ରୀ ସଂଖ୍ୟା, ପୁରାତନ ରୋଗରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ଇତ୍ୟାଦି ବିଭିନ୍ନ ତଥ୍ୟକୁନେଇ ଏକ ଡାଟାବେସ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି । ଏହି ଡାଟାବେସକୁ ଆଧାର କରି ବିପର୍ଯ୍ୟୟ ପରିଚାଳନା ପାଇଁ ଭବିଷ୍ୟତର କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯିବ ଏବଂ ଆଗାମୀ ସମୟରେ ବିପର୍ଯ୍ୟୟ ମୁକାବିଲା ପାଇଁ ଆବଶ୍ୟକ ଅନୁଯାୟୀ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ କରାଯିବ ।ଏହାପରେ ଜେଣ୍ଡର ବିଶେଷଜ୍ଞ ଆରଣ୍ୟକ ମିଶ୍ର, ପ୍ରକଳ୍ପ ସଂଯୋଜକ ସୁବୋଧ ନାୟକ ପାୱାର ପ୍ରୋଜେକ୍ଟ ମାଧ୍ୟମରେ ସମସ୍ତ ବିଷୟରେ ଦଳଗତ ଆଲୋଚନା କରିଥିଲେ ।ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡିସିପିଓ, ଡିଏସଡବ୍ଲୁଓ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ, ସ୍ୱାସ୍ଥ୍ୟ, ଶିକ୍ଷା, ବିଭାଗର କର୍ମଚାରୀ,ମିଶନ ଶକ୍ତିର ସଦସ୍ୟା ଉପସ୍ଥିତ ଥିବାବେଳେ ଜିଲ୍ଲା ଜରୁରୀ କାଳୀନ କାର୍ଯ୍ୟାଳୟର କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଘାସିରାମ ବେହେରା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।