ହାଡ଼ିପାଲି ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦ୍‌ଯାପିତ।

ସମ୍ବଲପୁର ;ତା-୫/୧(ବିଏମସି ଟିଭି ଓଡିଆ)

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର ହାଡ଼ିପାଲି ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଆଜି ଉଦ୍‌ଯାପିତ ହୋଇ ଯାଇଛି । ଏହି ଶିକ୍ଷାନୁଷ୍ଠାନର ପୁରାତନ ଛାତ୍ରଛାତ୍ରୀ ତଥା ରାଜ୍ୟର ପଞ୍ଚାୟତ ରାଜ,ଗ୍ରାମ୍ୟ ଉନ୍ନୟନ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ରବିନାରାୟଣ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ତାଙ୍କ ସମୟରେ ଗୁରୁମାନଙ୍କ ସ୍ନେହପୂର୍ଣ୍ଣ ଦଣ୍ଡ ବ୍ୟବସ୍ଥାକୁ ସୂଚନା ଦେଇ ଗୁରୁଙ୍କ ଦଣ୍ଡକୁ ଅପମାନ ମନେ ନକରି ଆଶୀର୍ବାଦ ଭାବେ ଗ୍ରହଣ କରିବାକୁ ଆହ୍ବାନ ଦେଇଛନ୍ତି ।ସେ ସ୍କୁଲର ଉନ୍ନତି ପାଇଁ ଏକ ଛାତ୍ରାବାସ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରି ଆଲୁମିନିର ସଦସ୍ୟ ଏକ ଖୋଲା ପଡିଆ ଯୋଗାଇଦେଲେ ଏଥିପାଇଁ ମଧ୍ୟ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ । ସେ ଏହି ଉତ୍ସବରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ସ୍କୁଲର ପୂର୍ବତନ ପରିଚାଳନା କମିଟି ସଭ୍ୟ ସୁବାସ ନାୟକଙ୍କୁ ଶ୍ରେଷ୍ଠ ବ୍ୟକ୍ତିତ୍ଵ ସମ୍ମାନ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦନ ସିଂହ ନାୟକଙ୍କୁ ଆଦର୍ଶ ଗୁରୁ ସମ୍ମାନ ଭାବରେ ମାନ ପତ୍ର ଓ ଉପଢୌକନ ଦେଇ ମନ୍ତ୍ରୀ ଶ୍ରୀ ନାଏକ ସମ୍ମାନିତ କରିଥିଲେ । ସୁବର୍ଣ୍ଣ ଜୟନ୍ତୀ କମିଟି ପକ୍ଷରୁ ମନ୍ତ୍ରୀ ମହୋଦୟଙ୍କୁ ପୁରାତନ ଛାତ୍ରରତ୍ନ ଭାବରେ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହି ଉଦ୍‌ଯାପନ ଉତ୍ସବରେ ସ୍କୁଲର ସ୍ମରଣିକା ‘ଦର୍ପଣ’ କୁ ମଧ୍ୟ ଅତିଥିଗଣ ଉନ୍ମୋଚନ କରିଥିଲେ । ଏହି ଅଧିବେଶନ ରେ ଉପଜିଲ୍ଲାପାଳ ଡ଼. ଗୌରବମୟ ପଧାନ ସମ୍ମାନିତ ଅତିଥି ଓ ସାଧୁ ସ୍ବାମୀ ଜୀବନ ମୁକ୍ତାନନ୍ଦ ପୁରୀଜୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଭାରତୀୟ ସଂସ୍କୃତି ଉପରେ ଆଲୋଚନା କରିଥିଲେ । ଏଥିରେ ଚନ୍ଦନ ସିଂ ନାୟକ ସଭାପତିତ୍ବ କରିଥିଲେ । ପୂର୍ବାହ୍ନରେ ଆୟୋଜିତ ଅଧିବେଶନରେ ଜିଲ୍ଲା ଶିକ୍ଷାଧିକାରୀ ମୀନାରାଣୀ ମଙ୍ଗଳ ମୁଖ୍ୟ ଅତିଥି , ଝାରସୁଗୁଡ଼ାର ପିଏଆଇଟିଡି ଏ ପଟେଲ ଓ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ , ଏବିଇଓ ଲକ୍ଷ୍ମଣ ଦେହୁରୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବିଭିନ୍ନ କୃତି ପୁରାତନ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ଗୋପାଳ ନାଥ ପରିଚାଳନା କରିଥିଲେ । ଉଭୟ ଅଧିବେଶନର ଶେଷରେ ପ୍ରଧାନ ଶିକ୍ଷକ କରୁଣାମୟୀ ଧନ୍ୱର୍ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବରେ ବିପୁଳ ଜନ ସମାଗମ ହୋଇଥିଲା । ଶେଷରେ ଛାତ୍ରଛାତ୍ରୀ ଓ ଆଲୁମିନି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *