ଖୋର୍ଦ୍ଧା ;ତା-୧୯/୧୨(ବିଏମସି ଟିଭି ଓଡ଼ିଆ)
ଜିଲ୍ଲାର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ନିୟୁ ଥିଙ୍କିଙ୍ଗ ଫୋରମ ଓ କେନ୍ଦ୍ର ସରକାରଙ୍କ ଏମ.ଏସ.ଏମ.ଇ. ବିଭାଗ ପକ୍ଷରୁ ସ୍ଥାନୀୟ ହାବେଳୀ ପଡ଼ିଆରେ ଚାଲିଥିବା ୨୫ତମ ଖୋର୍ଦ୍ଧା ମହୋତ୍ସବର ଗୁରୁବାର ଥିଲା ପଂଚମ ସଂଧ୍ୟା । ଶୀତର ପ୍ରକୋପ ବଢିବା ସାଂଗକୁ ଉତ୍ସବ ପଡ଼ିଆରେ ପ୍ରବଳ ଜନସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାର ମାନଙ୍କ ଦ୍ୱାରା ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡ଼ିକ ଦର୍ଶକଙ୍କୁ ବିମୋହିତ କରିଥିଲା । ସେହିପରି ସୁଦୂର ଝାରଖଣ୍ଡରୁ ଆସିଥିବା ଛଉ ନୃତ୍ୟ ଦର୍ଶକଙ୍କ ମନକୁ ଛୁଇଁ ପାରିଥିଲା ।ପ୍ରବଳ ଶୀତ ସତ୍ୱେ ଖୋର୍ଦ୍ଧା ସହର ତଥା ଆଖାପାଖ ଗ୍ରାମର ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ଉପସ୍ଥିତି ପ୍ରଦର୍ଶନୀ ପଡ଼ିଆକୁ ଲୋକାରଣ୍ୟ କରିବା ସହିତ ଉତ୍ସବ ପଡ଼ିଆକୁ ମୁଖରିତ କରିଥିଲା । ବିଶେଷ କରି ସ୍ଥାନୀୟ କଳାକାରମାନଙ୍କ ଲୁକାଇତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପାଇଁ ମହୋତ୍ସବ ଏକ ବଡ଼ ମାଧ୍ୟମ ବୋଲି ଅନୁଷ୍ଠାନର ସଂପାଦକ ନରେନ୍ଦ୍ର ପୃଷ୍ଟି ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେହିପରି ବିଗତ ଦିନ ଏହି ମଂଚରୁ ଅନେକ କୁନିକୁନି କଳାକାର ନୃତ୍ୟ ପରିବେଷଣ କରି ଆଜି ରାଜ୍ୟ ତଥା ରାଜ୍ୟ ବାହାରେ ନିଜକୁ ନୃତ୍ୟ ଓ ସଂଗୀତ ଜଗତରେ ପ୍ରତିଷ୍ଠିତ କରିପାରିଛନ୍ତି ।ଆଜି ସଂଧ୍ୟାରେ ରୌପ୍ୟ ଜୟନ୍ତୀ ସମାରୋହ ତଥା ମହୋତ୍ସବ କମିଟିର ସଭାପତି ଡ଼. ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ସଦସ୍ୟ ନିରଂଜନ ପଟ୍ଟନାୟକ, ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ପୂର୍ଣ୍ଣିମା ପାଣ୍ଡିୟାନ, ସମାଜସେବୀ ଶୋଭନ ଘୋଷ ପ୍ରମ୍ମୁଖ ମଂଚାସୀନ ହୋଇ ବୀରଭୁମି ଖୋର୍ଦ୍ଧାର ଗାରିମାମୟ ଇତିହାସ ବଖାଣିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ମୁଖ୍ୟ ସଂଯୋଜକ ନିକୁଞ୍ଜକିଶୋର ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ସଂଜୟ ପଟ୍ଟନାୟକ, ସଂପାଦକ ନରେନ୍ଦ୍ର ପୃଷ୍ଟି ପ୍ରମ୍ମୁଖ ମଂଚରେ ଉପସ୍ଥିତ ଥିଲେ । ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରଫୁଲ ସାମନ୍ତରାୟ, ଅଭିନାଶ ଦଳେଇ, ବିମଳ ସାମନ୍ତରାୟ, ଗୌରୀଶଙ୍କର ତ୍ରିପାଠୀ ପରିଚାଳନା କରୁଥିବା ବେଳେ, ମଂଚ ସଂଚାଳକ ଭାବେ ଗୀତାଞ୍ଜଳୀ ସାହୁ ଓ ପବିତ୍ର ନାୟକ କାର୍ଯ୍ୟ ତୁଲାଇଥିଲେ ।
ଖୋର୍ଦ୍ଧା ରୁ ଜିଲ୍ଲା ପ୍ରତିନିଧି ରାଜେଶ ଚନ୍ଦ୍ର ମହାନ୍ତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।