ପୁରୀ , ତା- ୦୮/୧୨ (ବିଏମସି ଟିଭି ଓଡ଼ିଆ)

====
ଦାରୁବ୍ରହ୍ମ ମହାପ୍ରଭୁ ମନୁଷ୍ୟବତ ମାନବୀୟ ଲୀଳା କରୁଛନ୍ତି ।
ମହାପ୍ରଭୁଙ୍କ ଶୀତଳ ଉପଚାର ନିମନ୍ତେ ଗ୍ରୀଷ୍ମରେ ଚନ୍ଦନଯାତ୍ରା, ସ୍ନାନ ପୂର୍ଣ୍ଣିମାରେ ଅତିଶୟ ସ୍ନାନକରି ଜ୍ବରରେ ପିଡ଼ିତ ଓ ଦଶମୂଳ ସେବନ ପରେ ଆରୋଗ୍ୟହୋଇ ଘୋଷ ଯାତ୍ରା କରି ଆଡ଼ପ ମଣ୍ଡପକୁ ଯିବା, ବସନ୍ତ କାଳରେ ମଦନୋତ୍ସବ , ମୃଗୟା ବିନୋଦ ବା ବେଣ୍ଟଲୀଳା , ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧୋତ୍ସବ (ଦେବ ଦୀପାବଳି) ପ୍ରଭୃତି ମହାପ୍ରଭୁଙ୍କ ମାନବୀୟ ଲୀଳାର ନିଦର୍ଶନ । ସେହିପରି ଶୀତ ଋତୁରେ ଶୀତର ପ୍ରକୋପରୁ ରକ୍ଷା ପାଇବା ନିମନ୍ତେ ଶୀତ ବସ୍ତ୍ର ପରିଧାନ । ଏହା *ପ୍ରାବରଣ ଯାତ୍ରା ବା ଓଢ଼ଣ ଷଷ୍ଠୀ* ଭାବେ ଖ୍ୟାତ । ମାର୍ଗଶୀର ଶୁକ୍ଳ ଷଷ୍ଠୀ (ଓଢ଼ଣ ଷଷ୍ଠୀ) ଠାରୁ ମାଘ ଶୁକ୍ଳ ପଞ୍ଚମୀ (ବସନ୍ତ ପଞ୍ଚମୀ) ପୂର୍ବଦିନ ପର୍ଯ୍ୟନ୍ତ ଜୀଉମାନେ ଶୀତବସ୍ତ୍ର ପରିଧାନ କରିଥାନ୍ତି । ଠାକୁରମାନେ ଶୀତବସ୍ତ୍ରରେ ଘୋଡ଼ି ହେଉଥିବାରୁ ଏହାକୁ *ଘୋଡ଼ଲାଗି* କୁହା ଯାଏ ଓ ମହାପ୍ରଭୁଙ୍କର ଏହି ବେଶକୁ *ଘୋଡ଼ଲାଗି ବେଶ* କୁହାଯାଏ । ବସନ୍ତ ପଞ୍ଚମୀ ପରଦିନ ଠାରୁ ଦୋଳପୂର୍ଣ୍ଣିମା ପର୍ଯ୍ୟନ୍ତ ଶ୍ରୀ ଜୀଉ ମାନଙ୍କର *ଟେକା ଘୋଡ଼ଲାଗି* ହୋଇ ଥାଏ । ଶୀତପ୍ରକୋପ କମିଗଲେ ଆମେ ଯେପରି ପତଳା ଚାଦର ବ୍ଯବହାର କରି ଥାଉ, ମହାପ୍ରଭୁ ସେହିପରି ବସନ୍ତ ପଞ୍ଚମୀ ଠାରୁ ଦୋଳ ପୂର୍ଣ୍ଣିମା ପର୍ଯ୍ୟନ୍ତ *ଟେକା ଘୋଡ଼* ପରିଧାନ କରିଥାନ୍ତି । ଶ୍ରୀମନ୍ଦିରରେ ପାଳିତ ହେଉଥିବା ପ୍ରସିଦ୍ଧ ଦ୍ଵାଦଶ ଯାତ୍ରା ମଧ୍ୟରୁ ଏହି ଯାତ୍ରା ଅନ୍ୟତମ ।
କବି ଲୋକନାଥ ବିଦ୍ୟାଧର ଲେଖିଛନ୍ତି :-
ସ୍ନାନ ଗୁଣ୍ଡିଚା ଶୟନ, ଯାତ୍ରା ଅନ୍ତେ ଅୟନ l
ପାରୁଶ ପରିବର୍ତ୍ତନ ଉତ୍ଥାପନ ଓଢ଼ଣ ll
ମକର ଅଭିଷେକ ଦୋଳ ଦମନକ ଚନ୍ଦନ l
ଏ ରୂପେ ଦ୍ବାଦଶଉତ୍ସବ ୟେକୟେକ ସଘନ ll
ଯାତ୍ରା ଭାଗବତ ଉଲ୍ଲେଖମତେ ମଣିଷ ସର୍ବାଭିଷ୍ଟ ଫଳପ୍ରାପ୍ତି ନିମନ୍ତେ ଜଗଦୀଶଙ୍କୁ ମାର୍ଗଶୀର ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥି ଦିନ ଉତ୍ତମ ବସ୍ତ୍ରମାନଙ୍କରେ ଆଚ୍ଛାଦିତ କରିବା ବିଧେୟ କୁହାଯାଇଛି :-
ମାସଙ୍କ ମଧ୍ୟେ ମାର୍ଗଶୀର l
ନକ୍ଷତ୍ର ଯେହ୍ନେ ସୁଧାକର ll
ଶୁକଳ ପକ୍ଷ ଷଷ୍ଠୀ ତିଥି l
ମନୁଷ୍ୟ କରି ଶୁଦ୍ଧ ଭକ୍ତି ll
ଓଢ଼ଣ ଷଷ୍ଠୀ ତାକୁ କହି l
ଲୋକ ବେଭାର ଏ ଅଟଇ ll

ସ୍କନ୍ଦ ପୁରାଣ, ବାମଦେବ ସଂହିତା ଏବଂ ନୀଳାଦ୍ରି ମହୋଦୟ ଆଦି ଗ୍ରନ୍ଥରେ ମଧ୍ୟ ମହାପ୍ରଭୁଙ୍କ ଏହି ଯାତ୍ରା ସମ୍ବନ୍ଧରେ ଉଲ୍ଲେଖ ଅଛି ।
ଏ ଉତ୍ସବ ମାର୍ଗଶୀର ଶୁକ୍ଳଷଷ୍ଠୀ ଦିନ ପାଳିତ ହେଉଥିଲେ ମଧ୍ୟ ଏହାର ଅଧିବାସ ତାହାର ପୂର୍ବଦିନ ପଞ୍ଚମୀ ତିଥିରେ ହୋଇଥାଏ । ପଞ୍ଚମୀରେ ମହାପ୍ରଭୁଙ୍କର ରାତ୍ର ଚନ୍ଦନ ଲାଗି ବଢ଼ିବା ପରେ ପତନି, ଘୋଡ଼, ଖଣ୍ଡୁଆ ଘୋଡ଼, ପାଗ, ମଦନ ମୋହନଙ୍କ କବରୀ, ବିମଳା, ଶ୍ରୀଦେବୀ ଓ ଭୂଦେବୀଙ୍କ ଘୋଡ଼, ଭୋଗ ମଣ୍ଡପ ଘରେ ଅଧିବାସ ପାଇଁ ରହିଥାଏ । ଆଗରୁ ଭୋଗ ମଣ୍ଡପ ଘର ଧୋ ପଖାଳ ହୋଇ ଚାନ୍ଦୁଆ ବନ୍ଧା ଯାଇଥାଏ । ପୂଜାପଣ୍ଡାଙ୍କ ଦ୍ଵାରା କଟାଯାଇ ଥିବା ତିନୋଟି ମଣ୍ଡଳ ପରେ ଚାଙ୍ଗଡ଼ାରେ ଘୋଡ଼ ମାନଙ୍କୁ ରଖା ଯିବା ପରେ ଅଧିବାସ ବଢ଼ିଥାଏ । ଏହାପରେ ଦ୍ଵାର ବନ୍ଦକରାଯାଇ ମୁଦ ଦିଆଯାଇ ଥାଏ । ବଡ଼ସିଂହାର ଭୋଗ ଶେଷ ହୋଇ ଠାକୁର ମାନଙ୍କ ମଇଲମ ବଢ଼ିବା ପରେ ପାଣିପଡ଼ି ମହାସ୍ନାନ ବଢ଼େ । ଏହାପରେ ଜୀଉମାନେ ଝିନପତନି ଲାଗି ହୁଅନ୍ତି । ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ଲାଗି ପରେ ପଇଡ଼, ବିଡ଼ିଆ, ଘଷାମଣୋହି ବଢ଼ି ଆଳତି ହେବା ପରେ ପହୁଡ଼ ହୋଇଥାଏ । ଶୁକ୍ଳ ଷଷ୍ଠୀରେ ମହାପ୍ରଭୁଙ୍କ ସକାଳ ଧୂପ ବଢ଼ିବା ପରେ ମଇଲମ ହୁଏ । ଆଗ ଦିନ ଭୋଗ ମଣ୍ଡପ ଘରେ ଅଧିବାସ ହୋଇଥିବା ଘୋଡ଼ମାନଙ୍କୁ ଘଣ୍ଟ, ଛତ୍ର, କାହାଳୀ ସହ ପଟୁଆରରେ ବଡ଼ ଦେଉଳକୁ ସାଢ଼େ ତିନି ବେଢ଼ା, ରତ୍ନ ସିଂହାସନକୁ ସାଢ଼େ ତିନିବେଢ଼ା, ଏହି ପରି ସମୁଦାୟ ସାତ ବେଢ଼ା ପ୍ରଦକ୍ଷିଣ କରାଯାଇ ରତ୍ନ ସଂହାସନକୁ ବିଜେ କରାଯାଏ ।
ରତ୍ନ ସଂହାସନରେ ସିଂହାରୀ ପୁଷ୍ପାଳକଙ୍କ ଦ୍ବାରା ଠାକୁରମାନଙ୍କର ପାଗ ଓ ଘୋଡ଼ ଲାଗି ବଢ଼ିଲେ ଛଅ ମୂର୍ତ୍ତୀ ଅଳଙ୍କାର ଲାଗି ହୋଇ ଶ୍ରୀଅଙ୍ଗରେ ପ୍ରସାଦ ଲାଗି ବଢ଼ିଲେ ତିନି ବାଡ଼ରେ ବନ୍ଦାପନା ହୋଇଥାଏ । ଏହାପରେ ଠାକୁରଙ୍କର ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହୋଇଥାଏ । ପ୍ରତିଦିନ ଅବକାଶ ପରେ, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଧୂପ ପରେ ଘୋଡ଼ ଲାଗି ହୁଏ । ଘୋଡ଼ଲାଗି ବେଶରେ କାର୍ପାସ ବସ୍ତ୍ର, ଖଣ୍ଡୁଆ ପାଟ, ଭେଲ୍ଭେଟର ଘୋଡ଼ବସ୍ତ୍ର, ଟୋପର ମଫଲର ଇତ୍ୟାଦି ବ୍ୟବହୃତ ହୋଇଥାଏ । ଏହି ବେଶରେ ଠାକୁର ମାନେ ଚୂଳଲାଗି ହୋଇଥାନ୍ତି । ଠାକୁରମାନଙ୍କୁ ପ୍ରତ୍ୟେକ ଦିନ ଭିନ୍ନଭିନ୍ନ ରଙ୍ଗର ଘୋଡ଼ ବସ୍ତ୍ର ଲାଗି ହୋଇଥାଏ ଯଥା :
ରବି – ଲାଲ ରଙ୍ଗ,
ସୋମ – କଳାଛିଟ ମିଶା ଧଳା ରଙ୍ଗ
ମଙ୍ଗଳ – ବାରିପଟିଆ (ପଞ୍ଚରଙ୍ଗମିଶା)
ବୁଧବାର – ନୀଳରଙ୍ଗ
ଗୁରୁବାର – ହଳଦିଆ ରଙ୍ଗ
ଶୁକ୍ରବାର – ଧଳା ରଙ୍ଗ
ଶନିବାର – କଳା ରଙ୍ଗ
ଜ୍ୟୋତିଷ ଶାସ୍ତ୍ର ମତେ ମହାପ୍ରଭୁଙ୍କ ସାତ ଦିନର ସାତ ପ୍ରକାର ଘୋଡ଼ ରଙ୍ଗକୁ ସପ୍ତଗ୍ରହର ପ୍ରତୀକ ବୋଲି ଗ୍ରହଣ କରାଯାଏ । ଜୀଉ ମାନଙ୍କ ଘୋଡ଼ବସ୍ତ୍ର ଶ୍ରୀମନ୍ଦିରର ପାରମ୍ପରିକ ଦରଜୀ ସେବକ ପ୍ରସ୍ତୁତ କରିଥାନ୍ତି । ନୀଳାଦ୍ରି ମହୋଦୟରେ କୁହା ଯାଇଛି, ଯେଉଁମାନେ ମହାପ୍ରଭୁଙ୍କର ପ୍ରାବରଣ ଯାତ୍ରା ଦର୍ଶନକରନ୍ତି, ସେମାନଙ୍କର ସବୁ କାମନା ପୂର୍ଣ୍ଣ ହୋଇଥାଏ ଓ ମୃତ୍ୟୁ ପରେ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ।
ଏତଦ୍ ପ୍ରାବରଣୋତ୍ସବଂ ଚ
କୁରୁତେ ଯୋ ବା ମୁଦା ପଶ୍ୟତି l
କ୍ଷିପ୍ରଂ ସର୍ବମନୋରଥଂ ଚ ଲଭ୍ୟତେ
ପୁତ୍ରପ୍ରପୌତ୍ରୈଃ ସମମ୍ l
ଅନ୍ତେ ବିଷ୍ଣୁପୁରଂ ବ୍ରଜେତ୍ ସ ତୁ
ପୁନସ୍ତତ୍ରୈବ ଲବ୍ଧ୍ଵା ପରଂ
ଜ୍ଞାନଂମୋକ୍ଷମନନ୍ୟ ଲଭ୍ୟମମରୈସ୍ତଦ୍
ବାଞ୍ଛନୀୟଂ ବ୍ରଜେତ୍ll
ପୁଣି କୁହାଯାଇଛି :
ମାର୍ଗଶୀର୍ଷ ଶୀତପକ୍ଷେ ଯା ଷଷ୍ଠୀତିଥି ସଂଯୁତା l
ସା ତୁ ପ୍ରାବରଣୀ ନାମ ସର୍ବକାମ ଫଳପ୍ରଦଃ ll
ବିଜୟତୁ ଜଗନ୍ନାଥ ଦିବ୍ୟ ବସ୍ତ୍ରେଣାଅଲଂକୃତ l ପ୍ରଜଚ୍ଛତି ସର୍ବକାମାନ୍ ସ୍ୱର୍ଗମୋକ୍ଷ ଚ ଦୁର୍ଲ୍ଲଭଂ ll
ପ୍ରାବରଣ ଯାତ୍ରା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ । କବି ବିଶ୍ୱନାଥ ଖୁଣ୍ଟିଆ ବିଚିତ୍ର ରାମାୟଣରେ ଏହା ବର୍ଣ୍ଣନା କରି ଲେଖିଛନ୍ତି :
ଶ୍ରୀନୀଳଗିରି ଶିଖରେ ବିଜେ ହରି
ଦ୍ୱାଦଶ ଯାତ୍ରା ବିନୋଦେ l
ସ୍ନାନ ଶ୍ରୀଗୁଣ୍ତିଚା ଅୟନ ଶୟନ
ପାରଶ୍ୱ ପାଲଟ ମୋଦେ ll
ଦେବ ଉତ୍ଥାପନ ଓଢ଼ଣ ମକର
ଦୋଳ ଦମନକ ଚୋରୀ l
ଚନ୍ଦନ ଚମ୍ପକ ଉତ୍ସବ ସହିତେ
ଏ ବିଧି ଲୀଳା ଆଚରି ll
ଦ୍ୱାଦଶ ଯାତ୍ରାରୁ ତିନିଯାତ୍ରା ସାର
ଦୋଳ ସ୍ନାନ ଶ୍ରୀଗୁଣ୍ତିଚା l
ସକଳ ଜୀବର ଅବଲୋକନରେ
ପାତକ ସମୂହ ମୁଞ୍ଚା ll

ପୁରୀରୁ ଜିଲ୍ଲା ପ୍ରତିନିଧି ଗଜେନ୍ଦ୍ର ସେନାପତିଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା ।
*ସଂଗୃହୀତ*
ବିଏମସି ନ୍ୟୁଜ ଓଡ଼ିଶା