ମୁଦିପଡ଼ା ହାଉସିଂ ବୋର୍ଡ଼ କଲୋନୀ ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଦେଶର ସାଧାରଣତନ୍ତ୍ର ଦିବସ ପାଳିତ।

ସମ୍ବଲପୁର ;ତା-୨୬/୦୧(ବିଏମସି ଟିଭି ଓଡିଆ)

ସମ୍ବଲପୁର ସହର ସ୍ଥିତ ମୁଦିପଡ଼ା ହାଉସିଂ ବୋର୍ଡ଼ କଲୋନୀ ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଠାରେ ଆଜି ଦେଶର ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପରିଚାଳନା ସମିତିର ସମ୍ପାଦକ ହରିହର ପାଢ଼ୀଙ୍କ ତତ୍ତ୍ୱାବଧାନ ଓ ଅଧ୍ୟକ୍ଷା ଶ୍ରୀମତୀ ରୋଜି ସେନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରାଷ୍ଟ୍ରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସମାଜସେବୀ ସଂସ୍କୃତିରତ୍ନ କାର୍ତ୍ତିକ ପ୍ରସାଦ ବହିଦାର ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପରେ ପରେ ସାମୁହିକ ଜାତୀୟ ସଂଗୀତ ଗାନ କରାଯାଇଥିଲା। ସମାରୋହରେ ଉପସ୍ଥିତ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ, ସହରର ବହୁ ଗଣ୍ୟମାନ୍ୟ ଭଦ୍ରବ୍ୟକ୍ତି ଓ ଭଦ୍ରମହିଳାଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟଅତିଥି ସଂସ୍କୃତିରତ୍ନ କାର୍ତ୍ତିକ ପ୍ରସାଦ ବହିଦାର କହିଲେ ଯେ – ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ର ଆମର ପ୍ରିୟ ମାତୃଭୂମି ଭାରତବର୍ଷ ରାଜତନ୍ତ୍ରରୁ ମୁକ୍ତହୋଇ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ସଫଳତାର ସହ ୭୫ବର୍ଷ ପୂର୍ଣ୍ଣ କରିପାରିଛି।ଯେଉଁ ମହାନ୍ ମୁକ୍ତିସଂଗ୍ରାମୀ କ୍ରାନ୍ତିକାରୀ ମାନଙ୍କ ଅସୀମ ତ୍ୟାଗ ଓ ବଳିଦାନ ଯୋଗୁଁ ଆଜି ଆମେ ସ୍ବାଧୀନତା ପାଇଛୁଁ, ସେମାନଙ୍କ ଠାରେ ଆମ୍ଭେମାନେ ଚିରଋଣୀ ବୋଲି କହି ମୁଖ୍ୟଅତିଥି ବହିଦାର ସମସ୍ତଙ୍କ ପକ୍ଷରୁ ସମସ୍ତ ମୁକ୍ତି ସଂଗ୍ରାମୀ ତଥା ସମ୍ବିଧାନ ନିର୍ମାତା ମାନଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଭାରତବର୍ଷକୁ ଏକ ବିକଶିତ ରାଷ୍ଟ୍ର ଭାବରେ ପ୍ରତିଷ୍ଠା କରିବା ସକାଶେ ରାଷ୍ଟ୍ର ପ୍ରତି କର୍ତ୍ତବ୍ୟନିଷ୍ଠ ହେବା ସଙ୍ଗେ ସଙ୍ଗେ ଦେଶ ନିର୍ମାଣ କାର୍ଯ୍ୟରେ ଯୋଗଦାନ କରିବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ। ପ୍ରାତଃ କାଳରେ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ ହାତରେ ଜାତୀୟ ପତାକା ଧରି ପ୍ରଭାତଫେରିରେ ସାହିର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲେ । ଭାରତମାତା ଏବଂ ମୁକ୍ତି ସଂଗ୍ରାମୀ ବରପୁତ୍ର ମାନଙ୍କ ଜୟଧ୍ୱନିରେ ଗଗନ ପବନ ମୁଖରିତ ହୋଇ ଉଠିଥିଲା । ଅନେକ ଛାତ୍ରଛାତ୍ରୀ ବୀରବେଶ ହୋଇ ସମାରୋହରେ ଅଂଶ ଗ୍ରହଣ କରିଥିଲେ। ପ୍ରାରମ୍ଭରେ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀମାନେ ସାମୁହିକ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରିଥିଲେ। ସୁଶ୍ରୀ ପ୍ରତିଭାରାଣୀ ବେହେରା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।ଶିକ୍ଷୟିତ୍ରୀ ସୁଶ୍ରୀ ପୂର୍ଣ୍ଣିମା ହୋତା, ହିମାଳୟା ମହଲା, ଅଷ୍ଟମୀ ପୋଢ଼, ପୂଜା ଦେ, ଲିପ୍‌ସାରାଣୀ ଗଉର ଏବଂ ଶ୍ରୀମତୀ ଗୀତା ପୋଢ଼ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ ।ଶିକ୍ଷୟିତ୍ରୀ ସୁଶ୍ରୀ ହିମାଳୟା ମହଲାଙ୍କ ଧନ୍ୟବାଦ ଅର୍ପଣ ପରେ ସମାରୋହ ଉଦ୍‌ଯାପିତ ହୋଇଥିଲା। ଶେଷରେ ସମସ୍ତଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *