ଗଞ୍ଜାମ ;ତା-୨୦/୦୫(ବିଏମସି ଟିଭି ଓଡ଼ିଆ)
ଏଆଇୟୁଟିୟୁସି, ଏଆଇଡିଏଓ, ଏବଂ ଏଆଇଡିୱାଇଓ ତରଫରୁ ଖାଦ୍ୟ ସାମଗ୍ରୀ, ଔଷଧ, ପେଟ୍ରୋଲ ଜାତ ଦ୍ରବ୍ୟ ସମେତ ସମସ୍ତ ଖାଉଟି ସାମଗ୍ରୀର ଦର ହ୍ରାସ କରିବା, ସମସ୍ତ ପାଚିକା ସହାୟିକାମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରିବା ସହ ସେମାନଙ୍କୁ ସ ସରକାରଙ୍କ ଦ୍ବାରା ଘୋଷିତ ମାସିକ ଦେୟ ୩୦୦୦ ଟଙ୍କା ତୁରନ୍ତ ପ୍ରଦାନ କରିବା,ଦୈନିକ କର୍ମ ସମୟ ବୃଦ୍ଧି ନକରି – ଦୈନିକ ୮ ଘଣ୍ଟା ଓ ସପ୍ତାହକୁ ୪୮ ଘଣ୍ଟା କର୍ମ ଦିବସ ନିଶ୍ଚିତ କରିବା, ସ୍ଥାୟୀ କାମର ଠିକାକରଣ ଓ ସାମୟିକ ନିଯୁକ୍ତି ବନ୍ଦ କରିବା, ଫିକ୍ସଡ୍ ଟର୍ମ ଏମ୍ପ୍ଲୟମେଣ୍ଟ (Fixed Term Employment) ଜରିଆରେ ଶ୍ରମିକମାନଙ୍କୁ ମନଇଚ୍ଛା କାମରୁ ବାହାର କରିଦେବା(Hire & Fire) ବ୍ୟବସ୍ଥା ବାତିଲ କରିବା, ସମସ୍ତ ସ୍କିମ ଶ୍ରମିକମାନଙ୍କୁ ସରକାରୀ କର୍ମଚାରୀ ଭାବରେ ସ୍ଥାୟୀ କରିବା ଓ ସେମାନଙ୍କୁ ସମସ୍ତ ଆଇନଗତ ସୁବିଧା ପ୍ରଦାନ କରିବା, ସମସ୍ତ ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ କଲ୍ୟାଣ ବୋର୍ଡ ଗଠନ କରି ସେମାନଙ୍କର ସାମାଜିକ ସୁରକ୍ଷା, ନିରାପତ୍ତା ଓ ସହାୟତା ପ୍ରଦାନକୁ ନିଶ୍ଚିତ କରିବା, ଶିକ୍ଷା ଧ୍ୱଂସକାରୀ ଜାତୀୟ ଶିକ୍ଷାନୀତି – ୨୦୨୦ ବାତିଲ କରିବା, ବନ୍ଦ ହୋଇଥିବା ସମସ୍ତ ସରକାରୀ ସ୍କୁଲ ଖୋଲିବା, ଶିକ୍ଷାର ଘରୋଇକରଣ, ବ୍ୟବସାୟୀକରଣ ବନ୍ଦ କରିବା, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଏବଂ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ସମେତ ସମସ୍ତ ସରକାରୀ ସ୍କୁଲ, କଲେଜ,ଶିକ୍ଷାନୁଷ୍ଠାନରେ ସ୍ଥାୟୀ ଭିତ୍ତିରେ ଶିକ୍ଷକ ଅଧ୍ୟାପକ ପଦବୀ ପୂରଣ କରିବା, ସମସ୍ତ ବେକାରଙ୍କୁ କାମ ଯୋଗାଇ ଦେବା, କାମ ନ ମିଳିବା ପର୍ଯ୍ୟନ୍ତ ସେମାନଙ୍କୁ ଯଥେଷ୍ଟ ପରିମାଣରେ ବେକାରୀ ଭତ୍ତା ପ୍ରଦାନ କରିବା, ସମସ୍ତଙ୍କ ପାଇଁ କାମ କରିବାର ଅଧିକାରକୁ ମୌଳିକ ସାମ୍ବିଧାନିକ ଅଧିକାରରେ ପରିଣତ କରିବା, ବିଦ୍ୟୁତ୍ (ସଂଶୋଧନ) ବିଲ ୨୦୨୩କୁ ବାତିଲ କରିବା, ବ୍ରହ୍ମପୁର ବଡ଼ମେଡ଼ିକାଲରେ ଆବଶ୍ୟକ ମୁତାବକ ଡାକ୍ତର, ନର୍ସ ଏବଂ ଡ଼ାକ୍ତରୀ ଉପକରଣ ଯୋଗାଇଦେବା ସହ ବଡ଼ ମେଡ଼ିକାଲରେ ଏକ ଡେଣ୍ଟାଲ ମେଡ଼ିକାଲ କଲେଜ ପ୍ରତିଷ୍ଠା କରିବା।ବ୍ରହ୍ମପୁର ସ୍ଥିତ ଆୟୁର୍ବେଦିକ ଏବଂ ହୋମିଓପାଥି ମେଡିକାଲ କଲେଜର ଭିତ୍ତିଭୂମି ବିକାଶ ସହ ସେଠାରେ ଥିବା ସମସ୍ତ ଅବ୍ୟବସ୍ଥାକୁ ଦୂର କରିବା, ସ୍ମାର୍ଟ ମିଟର ଲଗାଇବା ବନ୍ଦ କରିବା, ମହିଳାମାନଙ୍କ ଉପରେ ନିରଙ୍କୁଶ ଭାବରେ ବଢ଼ି ଚାଲିଥିବା ଅତ୍ୟାଚାର ଓ ଅପରାଧମୂଳକ କାର୍ଯ୍ୟକଳାପ ବନ୍ଦ କରିବା, ଜନସାଧାରଣଙ୍କ ନୈତିକ ଆଧାରକୁ ଧ୍ବଂସ କରୁଥିବା ବିଶେଷକରି ଛାତ୍ର ଓ ଯୁବକ ମାନଙ୍କର ମଣିଷ ପଣିଆକୁ ଧ୍ବଂସ କରୁଥିବା ଅଶ୍ଳୀଳତା, ମଦ, ମାଦକ ଦ୍ରବ୍ୟ, ଡ୍ରଗ, ମୋବାଇଲ ଓ ଯୌନ ନିଶା ବନ୍ଦ କରିବା ଭଳି ଜ୍ଵଳନ୍ତ ଦାବି ପୂରଣ କରିବା ପାଇଁ ଆଜି କମାପଲ୍ଲୀ ଛକ ଠାରୁ ଆର.ଡି.ସି ଅଫିସ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ଅନୁଷ୍ଠିତ ହେବା ସହ ଏକ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର, ବ୍ରହ୍ମପୁରଙ୍କ ଜରିଆରେ ପ୍ରଦାନ କରାଗଲା।ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନାନବିଧ ସମସ୍ୟାରେ ଆଜି ଜନଜୀବନ ଦୁର୍ବିସହ। ରାଜନୈତିକ, ଅର୍ଥନୈତିକ ଏବଂ ସାମାଜିକ ନିରାପତ୍ତାର ଘୋର ଅଭାବ। ସାଧାରଣ ମଣିଷର ଜୀବନ ଆଜି ସରକାରଙ୍କ କଳା ଆଇନର ରୋଲାର ପେଶି ହେଇଯାଉଛି। ଏଭଳି ପରିସ୍ଥିତିରେ ସମସ୍ତ ଦାବି ଅବିଳମ୍ବେ ପୂରଣ କରିବା ପାଇଁ ସଂଗଠନ ପକ୍ଷରୁ ଦୃଢ଼ ଦାବି କରାଯାଇଛି।ଆଜିକାର ଏହି କାର୍ଯ୍ୟକ୍ରମ ସୋମନାଥ ବେହେରା, ଶିବାନୀ ଶଙ୍କର ମିଶ୍ର, ନିମାଇଁ ଚରଣ ସାହୁ, ନାରାୟଣ ସାହୁ, ପପୁନ ସାହୁ, କିସାନ କୁମାର ସାହୁ, କାମରାଜ ସାହୁ, ଶୁଭସ୍ମିତା ପାଣିଗ୍ରାହୀ, ବିଭୂତି ଭୂଷଣ ସାହୁ, ଅନୀଲ କୁମାର ସାହୁ ଆଦିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା ।
ଗଞ୍ଜାମ ରୁ ନିମାଇଁ ଚରଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।