ଗୀତା ପାଠକରି କୁଶନପୁରୀ ଗାଁ ପାଳିଲା ନିଆରା ଢଙ୍ଗରେ ନବବର୍ଷ।

ସମ୍ବଲପୁର ;ତା-୦୧/୦୧(ବିଏମସି ଟିଭି ଓଡିଆ)

ସମଗ୍ର ସମ୍ବଲପୁର ଜିଲ୍ଲାର ପୁରପଲ୍ଲୀଠୁ ଆରମ୍ଭ କରି ସହର ସାରା ଭୋଜିଭାତ, ଗୀତନୃତ୍ୟର ଆସର ଜମାଇ ଇଂରାଜୀ ନବବର୍ଷକୁ ପାଳନ କରିଥିବା ବେଳେ କୁସନପୁରୀ ଗ୍ରାମ ପାଳନ କରିଛି ନିଆରା ଢଙ୍ଗରେ। ଜାନୁୟାରୀ ୧ ତାରିଖକୁ ପାଶ୍ଚାତ୍ୟ ସଭ୍ୟତା ସହିତ ଯୋଡି ଦିନକୁ ଦିନ ଯେଉଁଭଳି ଭୋଜିଭାତର ଆସର ସହିତ ଘଟଣା ଦୁର୍ଘଟଣାକୁ ନିମନ୍ତ୍ରଣ କରାଯାଉଛି, ସେଥିରୁ ମୁକ୍ତ ରହିବାକୁ ଯୁଯୋମୁରା ବ୍ଲକ କୁକୁଡ଼ାପାଲି ଗ୍ରାମ ପଞ୍ଚାୟତର କୁସନପୁରୀ ଗ୍ରାମବାସୀ ଆପଣେଇଛନ୍ତି ଏକ ନିଆରା ପରମ୍ପରା। ଏଭଳି ନିଆରା ଚିତ୍ର ଆଜି ଦେଖିବାକୁ ମିଳିଛି ଗାଁ ଜଗନ୍ନାଥ ମନ୍ଦିର ବେଢାରେ। ଗାଁର ଆବାଳ ବୃଦ୍ଧ ବନିତା ସମସ୍ତେ ଏକତ୍ରିତ ହୋଇ ଗୀତା ପାଠରେ ସାମିଲ ହୋଇଥିଲେ।ଦିନ ସାରା ନବାକ୍ଷରୀ ଗୀତା ପାଠ କରି ଅପରାହ୍ନରେ ପୂର୍ଣ୍ଣାହୂତି ପଡି ଗ୍ରାମବାସୀ ଏକାଠି ବସି ଅନ୍ନପ୍ରସାଦ ସେବନ କରିବା ଭଳି ଦୃଷ୍ଟାନ୍ତ ବିରଳ ଚିତ୍ର ଦେଖିବାକୁ ମିଳିଥିବା ବେଳେ ଏହାକୁ ଗ୍ରାମବାସୀ ଗତ ୨୦୧୨ ମସିହାରୁ ବଜାୟ ରଖି ପାଳନ କରି ଆସୁଥିବା ମୁଖ୍ୟ ଉଦ୍ୟୋକ୍ତା ରାମଚନ୍ଦ୍ର ନାଏକ କହିଛନ୍ତି।

ସବୁଠୁ ବଡ଼ ବିଶେଷତ୍ୱ ହେଲା ଜାନୁୟାରୀ ୧ ତାରିଖରେ ଗ୍ରାମର କୌଣସି ପରିବାରରେ ତାମସିକ ଖାଦ୍ୟ ପାନୀୟ ହୋଇନଥାଏ। ଏହାହିଁ ଗାଁର ଏକତା ଓ ସଂହତି ପାଇଁ ବିଚାରଧାରାର ବଡ଼ ନିଦର୍ଶନ। କୁସନପୁରୀ ଗ୍ରାମର ଏଭଳି ପରମ୍ପରାକୁ ସମ୍ମାନ ଜଣାଇ ଚଳିତ ବର୍ଷ ଗମ୍ଭାରକଣ୍ଟାର ଶଶୀଭୂଷଣ ପଣ୍ଡା, ତବଲା ଓ ଶଢାସିଙ୍ଗା ଗ୍ରାମର ସଂକୀର୍ତ୍ତନ୍ୟ ମଣ୍ଡଳୀ ନୂତନ ବର୍ଷକୁ ସ୍ୱାଗତ କରିବାକୁ ନିଜ ପକ୍ଷରୁ ଏଥିରେ ସାମିଲ ହୋଇ ସାମାଜିକ ଓ ଏକ ଆଧ୍ୟାତ୍ମିକ ପରିବେଷ ସୃଷ୍ଟି କରିବା ଦିଗରେ ନିଜର ମହାନତା ପ୍ରଦର୍ଶନ କରିଥିଲେ।ଆଜି ଅନୁଷ୍ଠିତ ହୋଇଥିବା ଗୀତା ପାଠରେ ସପତ୍ନୀକ କ୍ଷୀରୋଦ ନାଏକ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିବା ବେଳେ ପରିଚାଳନା କମିଟି ସଭାପତି ସନତ ବିଶ୍ୱାଳ, ସମ୍ପାଦକ ରାମଚନ୍ଦ୍ର ନାଏକ, କୋଷାଧ୍ୟକ୍ଷ ଶିବଶଙ୍କର ମାହାଣା, ରେଣୁବାଳା ନାଏକ, ଯଶୋବନ୍ତି ସାହୁ, ସୁନତି କର, ମଧିର ଧର ଓ ବସୁଧା କର ପ୍ରମୁଖ ଏଥିରେ ସହଯୋଗ କରିଥିଲେ । ପ୍ରକାଶଯୋଗ୍ୟ ଯେ ଗ୍ରାମବାସୀ ଏହି ଅନନ୍ୟ ପରମ୍ପରାକୁ ଦୀର୍ଘ ୧୩ ବର୍ଷ ଧରି ପାଳନ କରି ଜିଲ୍ଲା କାହିଁକି ସମଗ୍ର ରାଜ୍ୟରେ କୁସନପୁରୀ ଗାଁକୁ ଏକ ବିରଳ ଦୃଷ୍ଟାନ୍ତରେ ଜାଗରଣ କରି ରଖିଛନ୍ତି।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *