ସମ୍ବଲପୁର ;ତା-୨୩/୧୨(ବିଏମସି ଟିଭି ଓଡିଆ)
ସମ୍ବଲପୁର ଲୋକମହୋତ୍ସବ କମିଟି ଆନୁକୁଲ୍ୟରେ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ଠାରେ ସୋମବାର ମଧ୍ୟାହ୍ନରେ ‘ରେଢାଖୋଲ ଉପଖଣ୍ଡ ସ୍ତରୀୟ ଲୋକନାଟକ-ଲୋକନ୍ରୁତ୍ୟ ର ସ୍ଥିତି ଓ ବିକାଶ’ ଶୀର୍ଷକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ସେମିନାର ଉପକମିଟି ର ଆବାହକ ଅତିଶ କୁମାର ଶତପଥିଙ୍କ ପରିଚାଳନା ଓ ବରିଷ୍ଠ ଅଧ୍ୟାପକ ଦେବେଶ କୁମାର ବିଶ୍ବାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ରେଢାଖୋଲ ଉପ-ଜିଲ୍ଲାପାଳ ରଶ୍ମି ରଞ୍ଜନ ମହନ୍ତ ଯୋଗଦେଇ ଲୋକ ମହୋତ୍ସବରେ ସମ୍ବଲପୁରୀ ଭାଷାର ମହତ୍ତ୍ବ ସମ୍ପର୍କରେ ଗୁରୁତ୍ବ ଆରୋପ କରିଥିଲେ। ବିଶିଷ୍ଠ ଗବେଷକ, ନାଟ୍ୟକାର, ଅଭିନେତା ତଥା ନିର୍ଦ୍ଦେଶକ ଡକ୍ଟର ଦ୍ବାରୀକାନାଥ ନାୟକ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ଲୋକ ନାଟକ,ଲୋକନୃତ୍ୟର ସ୍ବରୁପ ଓ ଲୋକ ମହୋତ୍ସବରେ ଲୋକବାଦ୍ୟର ମୋିଳିକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।
ସମ୍ବଲପୁର ଲୋକ ମହୋତ୍ସବର ସହ ସଂଯୋଜକ ନୃତ୍ୟ ବିଷାରଦ ରଞ୍ଜନ କୁମାର ସାହୁ ଲୋକକଳା ଓ ସଂସ୍କୃତି ବିଲୁପ୍ତ ହେବାର କାରଣ ବିଷୟରେ ଆଲୋଚନା କରିଥିଲେ। ନାକଟିଦେଉଳ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡ ଦୀପେନ୍ କୁମାର ପଟ୍ଟନାୟକ ଓ ଓଡିଆ ବିଭାଗର ମୁଖ୍ୟ ଅଧ୍ୟାପିକା ଡ ପୁଷ୍ପାଞ୍ଜଳି ରବନା ରେଢାଖୋଲ ତଥା ନାକଟିଦେଉଳ ଅଞ୍ଚଳର ଦଣ୍ଡ ନୃତ୍ୟ, ଖଞ୍ଜଣୀ, ଧୂନକେଲ, ଘୁଡୁକା ଓ ଆଦିବାସୀ ନାଚ ବିଷୟରେ ଆଲୋକପାତ କରିଥିଲେ। କଲେଜର ଛାତ୍ରୀ ରଚନା ମାଝୀ ଓ ସରୋଜିନୀ ପ୍ରଧାନ ପାଲା ତଥା ଦାସକାଠିଆ ବିଷୟରେ ନିବନ୍ଧ ଉପସ୍ଥାପନା କରିଥିବା ବେଳେ ରାଜେଶ ନାୟକ ଗୌଡବାଡି ନାଚ ବିଷୟରେ ଆଲୋଚନା କରିଥିଲେ। କବି କନ୍ଦର୍ପ ବେହେରା ପ୍ରାରମ୍ଭିକ ସୁଚନା ଦେଇଥିବାବେଳେ ସେମିନାର ଉପକମିଟିର ସହ ଆବାହକ ରଣଜିତ ରଥ ଧନ୍ୟବାଦ ଅର୍ପଣ କରିଥିଲେ। ନାକଟିଦେଉଳ କଲେଜ ଛାତ୍ରୀ ପ୍ରଣତି, ରୋଜାଲିନ୍, ମଧୁସ୍ମିତା ଓ ବର୍ଷାରାଣୀ ସଂଗୀତ ଗାନ କରିଥିବା ବେଳେ ଭାରତୀ, ବିଚିସ୍ମିତା ଓ ସସ୍ମିତା ନୃତ୍ୟ ପରିବେଷଣ କରିଥିଲେ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।