ସମ୍ବଲପୁର: ତା.୧୬/୫(ବିଏମସି ଟିଭି ଓଡିଆ)
କୁଚିଣ୍ଡାଠାରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅସ୍ଥାୟୀ ସ୍ଥାନକୁ ଉଦ୍ଘାଟନ ଓ ସ୍ଥାୟୀ ସ୍ଥାନରେ ଗୃହ ନିର୍ମାଣର ଶୁଭ ପ୍ରଦାନକୁ ବହୁ ବରିଷ୍ଠ ନାଗରିକ ଓ ଆଦିବାସୀ ନେତା ଗଣ ସ୍ଵାଗତ କରିଛନ୍ତି । ଏଥିପାଇଁ ଦେଢ଼ ବର୍ଷ ତଳେ ତାଙ୍କୁ ଏହି ନେତାମାନେ ଦାବିପତ୍ର ଦେଇଥିବା ସୂଚନା ଦେଇ ଏହା ପୁରଣ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି । ଅନୁରୂପ ଭାବରେ ଚାରି ବର୍ଷ ତଳୁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ ବି ବାମରା, ଜମନକିରା ଓ ଯୁଯୁମୁରା ବ୍ଲକ୍ରେ ଚଳିତ ଶିକ୍ଷାବର୍ଷରେ କେନ୍ଦ୍ରୀୟ ବିଦ୍ୟାଳୟ ଅନୁରୂପ ଅସ୍ଥାୟୀ କେମ୍ପସ୍ ଚୟନ କରି ଉଦ୍ଘାଟନ କରିବା ଓ ବାମରା ବ୍ଲକ୍ର ଗୃହ ନିର୍ମାଣ ଶେଷ ହୋଇ ଆସିଥିବାରୁ ତାକୁ

ଉଦ୍ଘାଟନ ତଥା ଜମନକିରା ଓ ଯୁଯୁମୁରା ବ୍ଲକ୍ର ସ୍ଥାନ ନିରୂପଣ ସରିଥିବାରୁ ଶିଳାନ୍ୟାସ କରିବାକୁ ସମ୍ବଲପୁରର ସଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକ ସ୍ମାରକ ପତ୍ରଦେଇ ଦାବି କରାଯାଇଛି । କେନ୍ଦୁପତ୍ର ବିଭାଗ ଫରେଷ୍ଟ ଗେଷ୍ଟ୍ ହାଉସ୍ ଉପର ମହଲାରେ ଏହି ଦାବି ପତ୍ର ଦିଆଯାଇଥିଲା । ଦାବିପତ୍ରରେ ପୂର୍ବତନ କଲେଜ୍ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ, ପୂର୍ବ ବ୍ଲକ ଅଧ୍ୟକ୍ଷ କରୁଣାକର କିସାନ , ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ , ଜମନକିରାର ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ଜିଲ୍ଲା ପରିଷଦ ସଭ୍ୟା ଜେମାଦେଈ ମାଝି ଓ କିଶାନ ସମାଜ ଜିଲ୍ଲା ସଭାପତି ପଞ୍ଚାନନ ପ୍ରଧାନଙ୍କ ସମେତ ବହୁ ଆଦିବାସୀ ଜନତା ସ୍ୱାକ୍ଷର କରିଥିବା ବେଳେ ଉପଖଣ୍ଡ ଓ ଯୁଯୁମୁରାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଆଦିବାସୀ ସାମାଜିକ କର୍ମୀମାନେ ଉପସ୍ଥିତ ଥିଲେ ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।