ଶିକ୍ଷା, ସାହିତ୍ୟ, ସମାଜ ସେବା ଓ ପରିବେଶ ସୁରକ୍ଷା ପାଇଁ ଉତ୍ସର୍ଗୀକୃତ ବ୍ୟକ୍ତିତ୍ଵ ସୁବାସ ନାୟକ।

ସମ୍ବଲପୁର ; ତା.୨୩/୦୫(ବିଏମସି ଟିଭି ଓଡିଆ)

         ଓଡ଼ିଶାର ସାରସ୍ଵତ ଜଗତରେ ମାଟିପୁତ୍ର ଭାବରେ ପରିଚିତ ସୁବାସ ଚନ୍ଦ୍ର ନାୟକ ଷଷ୍ଠ ଶ୍ରେଣୀ ଅଧ୍ୟୟନ ବେଳରୁ କବିତା ଲେଖିବା ଆରମ୍ଭ କରିବା ସହିତ ଛାତ୍ରଙ୍କ ନେତୃତ୍ୱ ନେଇ ଗାଁ ରାସ୍ତା ତିଆରି କରି ଚର୍ଚ୍ଚାକୁ ଆସିଥିଲେ। ନିଜ ଗାଁରେ କେବଳ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥା ଥିବାରୁ ଷଷ୍ଠ ଶ୍ରେଣୀକୁ ଗରିବ ପିଲାମାନେ ନଯାଇ ଡ୍ରପ୍  ଆଉଟ୍ ହେଉଥିବାରୁ କିଶୋର ସୁବାସଙ୍କ ମନରେ ଗ୍ଲାନି ଭାବ ଉତ୍ପନ୍ନ ହୋଇଥିଲା। ସେଥିପାଇଁ ସେ ନିଜ ଗ୍ରାମ ତଥା ଆଖପାଖ ଅଞ୍ଚଳରେ ଉଚ୍ଚ ଶିକ୍ଷାର ପ୍ରସାର ପାଇଁ ମନ ବଳାଇଥିଲେ । କଲେଜରେ ଅଧ୍ୟୟନ କରୁଥିବା ସମୟରୁ ନିଜ ଗ୍ରାମ ପଞ୍ଚାୟତରେ ନଦୀ ପରିବେଷ୍ଟିତ ଗୟାମାଲ ସାହିରେ ଚାଟଶାଳୀ ଖୋଲି ଛୋଟ ଛୋଟ ପୁଅଝିଅଙ୍କୁ ଆଣି ଅବୈତନିକ ପାଠ ପଢାଉଥିଲେ। ପରେ ତାଙ୍କର ପ୍ରଗାଢ଼ ଚେଷ୍ଟା ଫଳରେ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ସେଠାରେ ଏବଂ ନିଜ ଗ୍ରାମର ଏକ ସାହି ବୀଜାଡିହିରେ ପ୍ରାଥମିକ ସ୍କୁଲ ସ୍ଥାପନ କରିଥିଲେ, ଯାହାକି ଆଜି ମଧ୍ୟ ଶିକ୍ଷା କ୍ଷେତ୍ରରେ ଆଲୋକ ବର୍ତ୍ତିକା ସାଜିଛି। ନିଜ ଗ୍ରାମରେ ଡ୍ରପ୍ ଆଉଟ୍ ସମସ୍ୟା ଦୂର କରିବାକୁ ତାଙ୍କ ମାତାମହୀ ଶ୍ରୀମତୀ ସୀତା ନାୟକଙ୍କ ସ୍ମୁତିରେ ମଧ୍ୟ-ଇଂରାଜୀ ବିଦ୍ୟାଳୟ ସ୍ଥାପନ କରିଥିଲେ। ପରବର୍ତ୍ତୀ ସମୟରେ ଏହି ବିଦ୍ୟାଳୟ ସରକାରୀ ପ୍ରୋଜେକ୍ଟ ସ୍କୁଲରେ ରୂପାନ୍ତରିତ ହୋଇଥିଲା। ଶିକ୍ଷା ମାଧ୍ୟମରେ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତିର ସ୍ବପ୍ନ ଦେଖୁଥିବା ସୁବାସ ବାବୁ ପଡୋଶୀ ହାଡିପାଲି ଗ୍ରାମ ପଞ୍ଚାୟତର ସଦର ମହକୁମାରେ ମଧ୍ୟ-ଇଂରାଜୀ ବିଦ୍ୟାଳୟ ସ୍ଥାପନରେ ଅଗ୍ରଣୀ ଭୂମିକା କରିଥିଲେ। ବିଦ୍ୟାଳୟ ସ୍ଥାପନାର ଅନୁଭୂତିକୁ ପାଥେୟ କରି ଜମନକିରା ବ୍ଲକ୍ ସଦର ମହକୁମାରେ ତତ୍‌କାଳୀନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ମାଝୀଙ୍କ ସହ ମିଶି ଏକ ମହାବିଦ୍ୟାଳୟ ସ୍ଥାପନ କରି ପାରିଥିଲେ।ଏହାପରେ ନିଜ ଗ୍ରାମ ପଞ୍ଚାୟତ କୁଟୁରାଚୁଆଁରେ ଯୁକ୍ତ ଦୁଇ ମହାବିଦ୍ୟାଳୟ (କଳା) ସ୍ଥାପନ କରି ନିଜେ ଅଧ୍ୟକ୍ଷ ଭାବରେ ଦୀର୍ଘ ତିରିଶ ବର୍ଷ କାଳ ନାମକୁ ମାତ୍ର ଦରମା ଓ ଶେଷରେ ବ୍ଲକ୍ ଗ୍ରାଣ୍ଟ୍ ପାଇ ଅବସର ନେଇଥିଲେ। କହିବା ବାହୁଲ୍ୟ ଯେ ସେ ଏହି ମହାବିଦ୍ୟାଳୟରେ ନିଷ୍ଠାପର ଭାବେ ଅଧ୍ୟାପନା କରି ଶତାଧିକ ମଣିଷ ଗଢି ତୋଳିବାରେ ସକ୍ଷମ ହୋଇ ପାରିଥିଲେ। ଏତତ୍ ବ୍ୟତୀତ ଫାଶୀମାଲ୍, ଭୋଜପୁର, ବାଘମରା, ପଡିଆବାହାଲ,  ମୁରା ଆଦି ସ୍ଥାନରେ ମହାବିଦ୍ୟାଳୟ ସ୍ଥାପନ କରିବାକୁ ସକ୍ଷମ ହୋଇଥିବା ବେଳେ ଦେବଗଡ଼ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ତିଲେଇବଣି ବ୍ଲକ୍‌ର ଆଭ୍ୟନ୍ତରିଣ ଅଞ୍ଚଳ ଲୁଢର ଠାରେ ମଧ୍ୟ ଏକ ଯୁକ୍ତ ଦୁଇ ମହାବିଦ୍ୟାଳୟ ସ୍ଥାପନ କରିଥିଲେ। ପରେ ସୁବାସ ବାବୁଙ୍କ ଶିକ୍ଷା ପ୍ରେମରେ ଉଦ୍‌ବୁଦ୍ଧ ଅଞ୍ଚଳବାସୀ ତାଙ୍କର ଏହି ମହନୀୟ ଆନ୍ତରିକ ଉଦ୍ୟମକୁ ଚିରକାଳ ମନେ ରଖିବାକୁ ଏହି ମହାବିଦ୍ୟାଳକୁ ସୁବାସ ନାୟକ ଉଚ୍ଚ ମାଧ୍ୟମିକ ସ୍କୁଲ ଭାବରେ ନାମିତ କରିଛନ୍ତି। ଏତଦ୍ ବ୍ୟତୀତ ହାଇସ୍କୁଲ ନଥିବା ଗ୍ରାମ ପଞ୍ଚାୟତ ଚାନ୍ଦିନୀମାଲ୍, କୁଳେଇଗଡ, ଭାତପୁରା, ଘିଚାମୁରା, ଖଣ୍ଡୋକଟା, ସାହ୍ଲେଭାଡ଼ି, ଝରା ଗୋଗୁଆ, ଧୁଡ଼ିପାଲି, ବାଉରୀଗୋଡା,  କୁଟାରିମାଲ ଆଦି ଗ୍ରାମରେ ଉଚ୍ଚ ବିଦ୍ୟାଳୟ ଖୋଲିବାକୁ ସକ୍ଷମ ହୋଇପାରିଛନ୍ତି। ଶିକ୍ଷା ତପସ୍ୱୀ ଭାବେ ସେ ଏହିସବୁ ବିଦ୍ୟାଳୟରେ ପ୍ରାରମ୍ଭିକ ପର୍ଯ୍ୟାୟରେ ନିଜେ ଅବୈତନିକ ଶିକ୍ଷାଦାନ କରିଥିଲେ। ଏସମସ୍ତ ଶିକ୍ଷାନୁଷ୍ଠାନ ସହ ଶତାଧିକ ଶିକ୍ଷାନୁଷ୍ଠାନରେ ବିଭିନ୍ନ ଉତ୍ସବ, ବୃକ୍ଷ ରୋପଣ ଆୟୋଜନ କରି ସଂପୃକ୍ତ ଅଞ୍ଚଳକୁ ସବୁଜ ସୁନ୍ଦର କରି ପାରିଛନ୍ତି। ବିଭିନ୍ନ ବିଦ୍ୟାଳୟର ହୀରକ ଜୟନ୍ତୀ, ସ୍ଵର୍ଣ୍ଣ ଜୟନ୍ତୀ ବା ରୌପ୍ୟ ଜୟନ୍ତୀ, ରକ୍ତଦାନ ଶିବିର ଆଦି ପାଳନର ମୁଖ୍ୟ ପୁରୋଧା ସାଜି ପୁରାତନ ଛାତ୍ରଛାତ୍ରୀମାନଙ୍କୁ ମୂଳ ଅନୁଷ୍ଠାନ ସହିତ ସାମିଲ କରି ପାରୁଛନ୍ତି। ମହାମାରୀ କରୋନା ସମୟରେ ଭୟଭୀତ ନହୋଇ ଗାଁ କୁ ଗାଁ ବୁଲିବୁଲି ସେ ଶିକ୍ଷାଦାନ କରିବା ସହ ଆବଶ୍ୟକ ସ୍ଥଳେ ଲୋକଙ୍କୁ ସାହାଯ୍ୟ ସହଯୋଗ କରିବା କଥା ଅଦ୍ୟାବଧି ମଧ୍ୟ ଲୋକେ ମନେ ରଖିଛନ୍ତି।
         ରାଜ୍ୟ ତଥା ରାଜ୍ୟ ବାହାରର  ଶତାଧିକ ପତ୍ର ପତ୍ରିକାରେ ନିୟମିତ ଲେଖି ଆସୁଥିବା ସୁବାସ ବାବୁଙ୍କ ଅଦ୍ୟାବଧି ୨୯ ଟି ପୁସ୍ତକ ସୃଷ୍ଟି ଓ ସନ୍ଧାନ, ଦୋ ଛକି ରାସ୍ତା, ହାତ କଡ଼ି, କଳା ଜାଇ, ଲମ୍ବା ବେନି ଓ ଉତ୍ତରି ଉପାଖ୍ୟାନ, ତୃତୀୟ ନୟନ, ଚିନ୍ତା ଓ ଚିନ୍ତନ, ଗାଉଁଲି ହାଲ ଆଦି ପ୍ରକାଶିତ ହୋଇସାରିଛି। ଏସବୁ ପୁସ୍ତକ ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରରେ ତାଙ୍କର ଅସାଧାରଣ ସାହିତ୍ୟିକ ପ୍ରତିଭାର ମୂକସାକ୍ଷୀ ଭାବେ ଉଭା ହୋଇଛନ୍ତି। ଦଳିତ କବିତା, ରୋମାଣ୍ଟିକ କବିତା, ନିର୍ଭୟା ଆଦି ସଙ୍କଳନ ମାଧ୍ୟମରେ ନୂଆ ସାହିତ୍ୟିକ ସୃଷ୍ଟି କରି ପାରିଛନ୍ତି। ପ୍ରତ୍ୟେକ ବର୍ଷ ପଶ୍ଚିମ ଧ୍ଵନି, କବି ଓ କବିତା , ଆଠ ଓ କଥାକାର ଆଦି ପ୍ରକାଶ କରି ବହୁ ସାହିତ୍ୟିକଙ୍କୁ ଉତ୍ସାହିତ କରି ଆସୁଛନ୍ତି। ଏବେ ନିଜ ଆତ୍ମ ଜୀବନୀ “ଦୋ ଛକି ମଣିଷ” ପ୍ରକାଶ ପାଇବାକୁ ଯାଉଛି। ଏଥିସହ ତାଙ୍କ ପ୍ରଭାବରେ ପ୍ରଭାବିତ ହୋଇ ରାଜ୍ୟରେ ଶତାଧିକ ଯୁବ ଲେଖକ ଓ ଲେଖିକା ସାରସ୍ଵତ ବଡ଼ଦାଣ୍ଡରେ ପ୍ରତିଷ୍ଠିତ ହୋଇ ପାରିଛନ୍ତି। ଝାରସୁଗୁଡ଼ା,  ସମ୍ବଲପୁର, ଦେବଗଡ଼, ବରଗଡ଼, ବଲାଙ୍ଗୀର, କଟକ   ଆଦି ଜିଲ୍ଲାରେ ଅନେକ ସାହିତ୍ୟ ସଂସଦ ପ୍ରତିଷ୍ଠା କରିବା ସହ ରାଜ୍ୟର ପ୍ରତ୍ୟେକଟି ଜିଲ୍ଲାର ସାରସ୍ଵତ ଉତ୍ସବକୁ ସେ ଆମନ୍ତ୍ରିତ ହୋଇ ଯାଇଥାନ୍ତି। ଝାରସୁଗୁଡ଼ା ଜିଲ୍ଲାର ସ୍ୱର ଝଙ୍କାର ସାହିତ୍ୟ ସଂସଦ (ରଘୁନାଥପାଲି),  ସମଲେଶ୍ଵରୀ ସାହିତ୍ୟ ସଂସଦ  (କୋଲାବିରା), ଝରଣା ସାହିତ୍ୟ ସଂସଦ, ଦେବଗଡ଼ ଜିଲ୍ଲାର ବାମଣ୍ଡା ସାହିତ୍ୟ ସଂସଦ, ଶ୍ରୀଜଗନ୍ନାଥ ସାହିତ୍ୟ ସଂସଦ, ରାଧାକୃଷ୍ଣ ସାହିତ୍ୟ ସଂସଦ, ପତିତ ପାବନ ସାହିତ୍ୟ ସଂସଦ, ନବ ଦିଗନ୍ତ ସାହିତ୍ୟ ସଂସଦ, ଦୂର ଦୁରନ୍ତ ସାହିତ୍ୟ ସଂସଦ, ସମ୍ବଲପୁର ଜିଲ୍ଲାର ଫାଲଗୁନି, ଗୁଦ୍‌ଗୁଦା ସାହିତ୍ୟ ସଂସଦ, ମୁକ୍ତେଶ୍ଵର ସାହିତ୍ୟ ସଂସଦ, ବରଗଡ଼ ଜିଲ୍ଲାର ଆଞ୍ଚଳିକ ସାହିତ୍ୟ ସଂସଦ  (ଅତାବିରା), ବଲାଙ୍ଗୀର ଜିଲ୍ଲାର ଢୋଲ୍ ମହୁଲ ଆଦି ସହିତ ସକ୍ରିୟ ରହି ସାରସ୍ଵତ ଆନ୍ଦୋଳନକୁ ପ୍ରଭାବୀ ଢଙ୍ଗରେ ଆଗେଇ ନେଇ ପାରିଛନ୍ତି। କଟକର ପ୍ରତିଭା ପୂଜା ସଂସଦ ଓ କୁଚିଣ୍ଡାର ପ୍ରତିଭା ବିକାଶ ଅଭିଯାନ ମାଧ୍ୟମରେ ସମଗ୍ର ଓଡ଼ିଶାରେ ବହୁ ପ୍ରତିଭାଙ୍କୁ ସାରସ୍ଵତ ଜଗତକୁ ଆଣିବାରେ ବଡ଼ ଭୂମିକା ଗ୍ରହଣ କରିଛନ୍ତି। ଏହା ଦ୍ବାରା ସେ ଓଡ଼ିଆ ଭାଷା ଓ ସାହିତ୍ୟ ସେବାରେ ଜଣେ ଆଜନ୍ମ ଉତ୍ସର୍ଗୀକୃତ ସାହିତ୍ୟ ସେବକ ହୋଇ ପାରିଛନ୍ତି। ସୁସାହିତ୍ୟିକ ଭାବେ ସେ ରାଜ୍ୟର ବିଭିନ୍ନ ଅନୁଷ୍ଠାନରୁ ତିନି ଶତାଧିକ ସମ୍ମାନ ମଧ୍ୟ ପାଇ ସାରିଛନ୍ତି । ସେ ନିଜେ ତିନି ଥର ପ୍ରକୃତି ବନ୍ଧୁ ପୁରସ୍କାର ପାଇବା ସହିତ ବିଜୁ ପଟ୍ଟନାୟକ ସମ୍ମାନ ଲାଭ କରିଛନ୍ତି। ଏପରିକି ତାଙ୍କ ଅନୁଗାମୀମାନେ ମଧ୍ୟ ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ମାନୀତ ହେବାର ବିରଳ ଉଦାହରଣ ସୃଷ୍ଟି କରିପାରିଛନ୍ତି। ନିଜ ଦ୍ୱାରା ପ୍ରତିଷ୍ଠିତ ଅନୁଷ୍ଠାନଗୁଡ଼ିକ ପ୍ରକୃତି ମିତ୍ର ପୁରସ୍କାରରେ ଭୂଷିତ ହେବା ତାଙ୍କୁ ଜିଲ୍ଲା ଓ ରାଜ୍ୟ ସ୍ତରରେ ପରିବେଶବିତ୍ ଭାବେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି।

(ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା )

Leave a Reply

Your email address will not be published. Required fields are marked *