ବୋଲଗଡ଼; ତା-୨୬/୦୧ ( ବିଏମସି ଟିଭି ଓଡ଼ିଆ)

ଖୋଦ୍ଧା ଜିଲ୍ଲା ବୋଲଗଡ଼ ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରରେ ଆଜି ଦେଶର ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଶିକ୍ଷାକେନ୍ଦ୍ର ପରିଚାଳନା ସମିତିର ସମ୍ପାଦକ ବିଶ୍ବଜିତ ମହାପାତ୍ରଙ୍କ ତତ୍ତ୍ୱାବଧାନ ଓ ଅଧ୍ୟକ୍ଷା ସୁଶ୍ରୀ ଅରୋସ୍ମିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରାଷ୍ଟ୍ରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସେବତୀ ପରିଡ଼ା ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପରେ ପରେ ସାମୁହିକ ଜାତୀୟ ସଂଗୀତ ଗାନ କରାଯାଇଥିଲା।

ଏହି ସମାରୋହରେ ଉପସ୍ଥିତ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଅପାଭାଇ, ବୋଲଗଡ଼ ଅଞ୍ଚଳର ବହୁ ଗଣ୍ୟମାନ୍ୟ ଭଦ୍ରବ୍ୟକ୍ତି ଓ ଭଦ୍ରମହିଳାଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟଅତିଥି ଶ୍ରୀମତୀ ପରିଡ଼ା କହିଲେ ଯେ – ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ର ଆମର ପ୍ରିୟ ମାତୃଭୂମି ଭାରତବର୍ଷ ରାଜତନ୍ତ୍ରରୁ ମୁକ୍ତହୋଇ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ସଫଳତାର ସହ ୭୫ବର୍ଷ ପୂର୍ଣ୍ଣ କରିପାରିଛି। ଯେଉଁ ମହାନ୍ ମୁକ୍ତିସଂଗ୍ରାମୀ କ୍ରାନ୍ତିକାରୀ ମାନଙ୍କ ଅସୀମ ତ୍ୟାଗ ଓ ବଳିଦାନ ଯୋଗୁଁ ଆଜି ଆମେ ସ୍ବାଧୀନତା ପାଇଛୁଁ, ସେମାନଙ୍କ ଠାରେ ଆମ୍ଭେମାନେ ଚିରଋଣୀ ବୋଲି କହି ମୁଖ୍ୟଅତିଥି ଶ୍ରୀମତୀ ପରିଡ଼ା ସମସ୍ତଙ୍କ ପକ୍ଷରୁ ସମସ୍ତ ମୁକ୍ତି ସଂଗ୍ରାମୀ ତଥା ସମ୍ବିଧାନ ନିର୍ମାତା ମାନଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଭାରତବର୍ଷକୁ ଏକ ବିକଶିତ ରାଷ୍ଟ୍ର ଭାବରେ ପ୍ରତିଷ୍ଠା କରିବା ସକାଶେ ରାଷ୍ଟ୍ର ପ୍ରତି କର୍ତ୍ତବ୍ୟନିଷ୍ଠ ହେବା ସଙ୍ଗେ ସଙ୍ଗେ ଦେଶ ନିର୍ମାଣ କାର୍ଯ୍ୟରେ ଯୋଗଦାନ କରିବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ।

ପ୍ରାତଃ କାଳରେ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ ହାତରେ ଜାତୀୟ ପତାକା ଧରି ପ୍ରଭାତଫେରିରେ ଶିକ୍ଷାକେନ୍ଦ୍ର ନିକଟସ୍ଥ ସାହିର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲେ । ଭାରତମାତା ଏବଂ ମୁକ୍ତି ସଂଗ୍ରାମୀ ବରପୁତ୍ର ମାନଙ୍କ ଜୟଧ୍ୱନିରେ ଗଗନ ପବନ ମୁଖରିତ ହୋଇ ଉଠିଥିଲା । ଅନେକ ଛାତ୍ରଛାତ୍ରୀ ସ୍ବାଧୀନତା ସଂଗ୍ରାମୀଙ୍କ ବୀରବେଶ ହୋଇ ସମାରୋହରେ ଅଂଶ ଗ୍ରହଣ କରିଥିଲେ। ପ୍ରାରମ୍ଭରେ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀମାନେ ସାମୁହିକ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରିଥିଲେ।

ଏହି ଜାତିୟ ଦିବସ ପାଳନ କାଯ୍ୟକ୍ରମକୁ ଶିକ୍ଷୟିତ୍ରୀ ଦେବଶ୍ରୀ ପଣ୍ଡା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।ଶିକ୍ଷୟିତ୍ରୀ ସୁଶ୍ରୀ ଶୁଭଲକ୍ଷ୍ମୀ ନାୟକ, ଶ୍ରୀମତୀ ନୀତା ରାଣୀ ମହାରଣା, ଶ୍ରୀମତୀ ରଶ୍ମିତା ବେହେରା ଏବଂ ଶ୍ରୀମତୀ ଦୌପଦୀ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ । ଶିକ୍ଷକ ଚନ୍ଦନ ପଶ୍ଚିମକବାଟ ଙ୍କ ଧନ୍ୟବାଦ ଅର୍ପଣ ପରେ ଆଜିର ସମାରୋହ ଉଦ୍ଯାପିତ ହୋଇଥିଲା। ଶେଷରେ ସମସ୍ତଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

ବିଏମସି ନିୟୁଜ ଓଡ଼ିଶା।
