ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ଦଶପଲ୍ଲାର ପବିତ୍ର କାଠ ।

ଦଶପଲ୍ଲା ;ତା-୦୩/୦୬(ବିଏମସି ଟିଭି ଓଡ଼ିଆ)

ଶ୍ରୀକ୍ଷେତ୍ର ପୁରୀ ଓ ଦଶପଲ୍ଲାର ମହାବୀର କ୍ଷେତ୍ର ମଧ୍ୟରେ ଏକ ଗଭୀର ଆଧ୍ୟାତ୍ମିକ ସମ୍ପର୍କ ରହିଛି। ପ୍ରାଚୀନ କାଳରୁ ଦଶପଲ୍ଲାର ଜଙ୍ଗଲରୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ପବିତ୍ର କାଠ ଯୋଗାଯାଇଥାଏ। ଏବର୍ଷ ମଧ୍ୟ ପରମ୍ପରା ଅନୁଯାୟୀ, ବନ ବିଭାଗ ଦ୍ୱାରା ଦଶପପଲ୍ଲାରୁ ଉଚ୍ଚ ଗୁଣବତ୍ତାର କାଠ ପୁରୀ ପଠାଯାଇଛି। ଏଥିପାଇଁ ମୁଖ୍ୟତଃ ମଇ କାଠର ୧୨ ଫୁଟ ଲମ୍ବା ୨୦ଟି ଲଟା ଏବଂ ବିଭିନ୍ନ ପ୍ରଜାତିର ବଲ୍ହା କାଠ (ପ୍ରତ୍ୟେକ ୨୦ ଫୁଟ ଲମ୍ବା) ପଠାଯାଇଛି। ମଇ କାଠ ଦ୍ୱାରା ରଥରେ ସ୍ଥାପିତ ହେଉଥିବା ପାର୍ଶ୍ୱ ଦେବଦେବୀ ଓ ନବଗ୍ରହଙ୍କ ମୂର୍ତ୍ତି ତିଆରି କରାଯିବ। ଏହି କାଠ ଟାକରା ଓ ପୋଖରିଗୋଛା ସେକ୍ସନ୍ ଅଧୀନସ୍ଥ ସଂରକ୍ଷିତ ବନରୁ ବନ ଅଧିକାରୀଙ୍କ ତତ୍ତ୍ୱାବଧାନରେ ସଂଗ୍ରହ କରାଯାଇଛି। ବନ ରେଞ୍ଜ ଅଫିସର ରାକେଶ କୁମାର ସାହୁ ଓ ଆଲୋକ କୁମାର ଗୁରୁଙ୍କ ନେତୃତ୍ୱରେ ଏହି ପବିତ୍ର କାଠର ସୁରକ୍ଷିତ ପରିବହନ ନିଶ୍ଚିତ କରାଯାଇଥିଲା। ବନ ବିଭାଗ ଜଣାଇଛନ୍ତି ଯେ, ଏହି ପରମ୍ପରା ଏକ ଗୁରୁତ୍ତ୍ୱପୂର୍ଣ୍ଣ ଧାର୍ମିକ ମହତ୍ତ୍ୱ ରଖିଛି, କାରଣ ଦଶପଲ୍ଲାର କାଠକୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ରଥ ନିର୍ମାଣ ପାଇଁ ଦିବ୍ୟ ଆଶୀର୍ବାଦପ୍ରାପ୍ତ ବୋଲି ବିଶ୍ୱାସ କରାଯାଏ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *