ମୟୂରଭଞ୍ଜ ;ତା-୦୬/୦୭(ବିଏମସି ଟିଭି ଓଡ଼ିଆ)
ସରିଆସୁଛି ମହାପ୍ରଭୁଙ୍କ ନବଦିନାତ୍ମକ ଲିଳାଖେଳା । ଗତକାଲି ଶ୍ରୀକ୍ଷେତ୍ର ପୁରୀ ସହ ଅନ୍ୟାନ୍ୟ କିଛି ସ୍ଥାନରେ ବାହୁଡାଯାତ୍ରା ସମ୍ପନ୍ନ ହୋଇଛି । ହେଲେ ଦ୍ବିତୀୟ ଶ୍ରୀକ୍ଷେତ୍ରର ପରମ୍ପରାରେ ରହିଛି କିଛି ଭିନ୍ନତା । ଏଠାରେ ଦିନକ ପରେ ଦୁଇଦିନ ଧରି ଗୁଣ୍ଡିଚାଯାତ୍ରା ରଥଟଣା ପରମ୍ପରା ରହିଥିବା ବେଳେ ଅନୁରୂପ ଦିନକ ପରେ ବାହୁଡା ଯାତ୍ରା ବିଧି ପାଳନ ହୋଇଥାଏ । ଗତକାଲି ଜନ୍ମବେଦୀରେ ଭକ୍ତଙ୍କୁ ସୁନାବେଶ ଦର୍ଶନ ଦେବାପରେ ସନ୍ଧ୍ୟାରେ ଗୋଟିପହଣ୍ଡିରେ ବିଜେ ହୋଇ ରଥାରୂଢ ହୋଇଥିଲେ ଚତୁର୍ଦ୍ଧା ମୂର୍ତ୍ତି। ରୀତିନୀତି ଅନୁସାରେ ଆଜି ରଥଟଣା ହୋଇଥିଲା । ଆଜି ଅପରାହ୍ନ ୨.୩୦ମିନିଟ ସମୟରେ ବାହୁଡା ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମେ ଚାରମାଳ ଖୋଲାଯିବା ପରେ ଲକ୍ଷଲକ୍ଷ ଭକ୍ତଙ୍କ ଗହଣରେ ପ୍ରଥମେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଡଦେଉଳ ପର୍ଯ୍ୟନ୍ତ ସୁରୁଖୁରୁରେ ଟଣା ଯାଇଥିଲା । ହେଲେ ଯେମିତି ନନ୍ଦିଘୋଷ ରଥ ଶ୍ରୀମନ୍ଦିର ଗଜଦ୍ବାର ପହଞ୍ଚିଛି ସେମିତି କୋଉଠି ଥିଲା କେଜାଣି ଭାସିଆସିଲା କଳାହାଣ୍ଡିଆ ମେଘ । ଆଉ ଲଗାଣ ବର୍ଷାରେ ବଡଦାଣ୍ଡ ହେଲା ଜଳାର୍ଣବ । ହେଲେ ବର୍ଷା ଅଟକାଇ ପାରିଲାନି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦୂରତା । ପ୍ରବଳ ବର୍ଷା ସତ୍ବେ ଭିଜିଭିଜି ମହିଳାମାନେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଟାଉନଥାନା ପର୍ଯ୍ୟନ୍ତ ଟାଣି ଆଣିଥିଲେ । ବର୍ଷାରେ ଭିଜି ମଧ୍ୟ ଶ୍ରଦ୍ଧାଳୁ ମାନେ ଆଧ୍ୟାତ୍ମିକ ପରିବେଶରେ ବେଶ୍ ଆନନ୍ଦିତ ମନରେ ଟାଣିଥିଲେ ରଥ । ସେହିପରି ବାଦ୍ୟର ତାଳେତାଳେ ନାଚିଥିଲେ ଶ୍ରଦ୍ଧାଳୁ । ଆଜି ବଡଏକାଦଶୀ ତିଥିରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ରଥଟାଣି କୃତାର୍ଥ ହେଉଛନ୍ତି ଭକ୍ତବୃନ୍ଦ । ତେବେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡ଼ା ଯାତ୍ରା ଦର୍ଶନ ପାଇଁ ପ୍ରବଳ ଗହଳି ଲାଗି ରହିଥିଲେ ମଧ୍ୟ ବାହୁଡା ରଥରେ ପହଞ୍ଚିଥିଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡା.କୃଷ୍ଣଚନ୍ଦ୍ର ମହାପାତ୍ର ଓ ସାରସକଣା ବିଧାୟକ ଭାଦବ ହାଁସଦା । ଅନନ୍ୟ ପରମ୍ପରାରେ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମହାପ୍ରଭୁଙ୍କ ରଥଯାତ୍ରାରେ ନିଜକୁ ସାମିଲ କରି ମହାପ୍ରଭୁଙ୍କ ନିକଟରେ ଜନତାଙ୍କ ମଙ୍ଗଳକାମନା କରିଥିଲେ ମନ୍ତ୍ରୀ ଡ଼ା.କୃଷ୍ଣଚନ୍ଦ୍ର ମହାପାତ୍ର । ସେହିପରି ସାରସକଣା ବିଧାୟକ ଭାଦବ ହାଁସଦା ନନ୍ଦିଘୋଷ ରଥ ଟାଣିଥିଲେ । ସେହିପରି ରାଜ୍ୟସଭା ସାଂସଦ ମମତା ମହାନ୍ତ ମଧ୍ୟ ଦେବୀ ସୁଭଦ୍ରାଙ୍କ ରଥ ଟାଣି ଥିଲେ । ଅନ୍ୟପଟେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ୱରେ ବିଶାଳ ଜନ ସମୁଦ୍ରକୁ ନିୟନ୍ତ୍ରଣ ସହ ଶୃଙ୍ଖଳିତ ଢଙ୍ଗରେ ପରିଚାଳନା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ବେଳେ ପୋଲିସ ସୁରକ୍ଷାକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେଇଥିବା ଜଣାପଡିଛି । ପରମ୍ପରା ଅନୁସାରେ ଆଜିର ବାହୁଡାଯାତ୍ରା ସମାପନ ହୋଇଥିଲା ବେଳେ ଆସନ୍ତାକାଲି ପୁଣିଥରେ ରଥଟଣା ଆରମ୍ଭ ହେବ ଏବଂ ସୋମବାର ବିଳମ୍ବିତ ରାତ୍ରରେ ନିଳାଦ୍ରୀ ବିଜେ ହେବେ ଚତୁର୍ଦ୍ଧା ମୁରତି ।
ମୟୂରଭଞ୍ଜ ରୁ ଘାସିରାମ ବେହେରା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।