ବିଦ୍ୟାଳୟ ରେ ତାଲା ପକାଇ ରାସ୍ତାରେ ବସିଲେ ଛାତ୍ରଛାତ୍ରୀ ।

ଖୋଦ୍ଧା / ବେଗୁନିଆ ; ତା-୦୮/୧୨ ( ବିଏମସି ଟିଭି ଓଡ଼ିଆ)

ଖୋଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପ୍ରିୟା ପ୍ରୀତି ଯୋଗୁଁ ବିଦ୍ୟାଳୟ ପରିଚାଳନା କମିଟି ସହିତ ଗ୍ରାମବାସୀ ମାନେ ଆଜି ସ୍କୁଲରେ ତାଲା ପକାଇଥିଲେ । ଉକ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଦେବାଶିଷ ପୃଷ୍ଟି ଙ୍କୁ ସେଠାରୁ ବଦଳି ନକରିବା ଦାବିରେ ଆଜି ଛାତ୍ର ଅଭିବାବକ, ବିଦ୍ୟାଳୟ ପରିଚାଳନା କମିଟି ଏବଂ ଗ୍ରାମବାସୀମାନେ ବିଦ୍ୟାଳୟ ଗେଟରେ ତାଲା ପକାଇଦେଇଥିଲେ । ଛାତ୍ରଛାତ୍ରୀ ମାନେ ମଧ୍ୟ ବିଦ୍ୟାଳୟ ଗେଟ ଆଗ ରାସ୍ତାରେ ଧାରଣାରେ ବସି ରହିଥିଲେ । ସମ୍ପୃକ୍ତ ଶିକ୍ଷକଙ୍କୁ ଏଠାରୁ ବଦଳି ନକରିବା ପାଇଁ ବିଧାୟକ ପ୍ରଦୀପକୁମାର ସାହୁ ଏବଂ ସରପଞ୍ଚ ଅକ୍ଷୟ କୁମାର ରାଉତରାୟ ବେଗୁନିଆ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଲେଖି ଜଣାଇଥିବାବେଳେ ସ୍ଥାନୀୟ ଗ୍ରାମବାସୀ , ଛାତ୍ର ଅଭିବାବକ ଏବଂ ବିଦ୍ୟାଳୟ ପରିଚାଳନା କମିଟି ମଧ୍ୟ ଗତ ନଭେମ୍ବର ୪ ତାରିଖରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ଗୋଷ୍ଠୀ ଶିକ୍ଷା ଅଧିକାରୀ କାହା କଥା ନଶୁଣି ତା ୨.୧୨.୨୪ ରିଖରେ ତାଙ୍କ ଚିଠି ନଂ ୨୫୦୫ ରେ ସମ୍ପୃକ୍ତ ଶିକ୍ଷକଙ୍କ ଡେପୁଟେସନ ଅର୍ଡରକୁ ବାତିଲ କରି ତାଙ୍କ ନିଜ ସ୍କୁଲ କୁ ଫେରିଯିବା ପାଇଁ ଚିଠି କରିଛନ୍ତି । ଗୋଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଙ୍କ ସଂଖ୍ୟା ଦୃଷ୍ଟିରୁ ଏବଂ ୬ଷ୍ଠ ,୭ମ ଶ୍ରେଣୀ ଥିବା ଯୋଗୁଁ ସେଠାରେ ୩ ଜଣ ଶିକ୍ଷକ କାର୍ଯ୍ୟ କରୁଥିଲେ । କିନ୍ତୁ ବିଶ୍ୱରଞ୍ଜନ ବେହେରାଙ୍କୁ ସି ଆର ସି ସି କରି ପଠାଇବା ପରେ ଶିକ୍ଷାଦାନ ବ୍ୟାହତ ହୋଇଥିଲା । ଫଳରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରାଉତପଡାର ଶିକ୍ଷକ ଦେବାଶିଷ ପୃଷ୍ଟିଙ୍କୁ ସମ୍ପୃକ୍ତ ବିଦ୍ୟାଳୟକୁ ଡେପୁଟେସନ ରେ ନେଇଥିଲେ । ସେଠାରେ ତାଙ୍କର ଭଲ ଶିକ୍ଷାଦାନ ଯୋଗୁଁ ଛାତ୍ରଛାତ୍ରୀ ତଥା ଅଭିବାବକ ମାନଙ୍କ ମଧ୍ୟରେ ସେ ବେଶ ଆଦୃତି ଲାଭ କରିଥିଲେ ।ସେଥିପାଇଁ ଗ୍ରାମର ଜନସାଧାରଣ ଏବଂ ବିଦ୍ୟାଳୟ ପରିଚାଳନା କମିଟି ତାଙ୍କୁ ଏଠାରୁ ସ୍ଥାନାନ୍ତର ନ କରିବା ପାଇଁ ଲିଖିତ ଅଭିଯୋଗ କରିଥିବା ବେଳେ ବିଧାୟକ ମଧ୍ୟ ସୁପାରିଶ କରିଥିଲେ । ଅନ୍ୟପଟେ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଧାୟକଙ୍କ ଠାରୁ ଆରମ୍ଭ କରି ଗୋଡ଼ା ଗ୍ରାମର ଜନସାଧାରଣ , ଛାତ୍ର ଅଭିବାବକ ଏବଂ ପରିଚାଳନା କମିଟି କଥାକୁ ଗୁରୁତ୍ୱ ନଦେଇ ଶ୍ରୀ ପୃଷ୍ଟିଙ୍କର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରାଉତପଡାକୁ ଅର୍ଡର କରିଛନ୍ତି । ଯାହାର ପରିଣାମ ସ୍ୱରୂପ ଆଜି ଗୋଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଆରତ ପରିଡା ଙ୍କ ନେତୃତ୍ୱରେ ଛାତ୍ର ଅଭିବାବକ ଏବଂ ପରିଚାଳନା କମିଟି କର୍ମକର୍ତ୍ତା ମାନେ ବିଦ୍ୟାଳୟ ଗେଟ ରେ ତାଲା ପକାଇଥିଲେ । ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ଆଗରେ ରାସ୍ତା ଉପରେ ଧାରଣା ରେ ବସି ରହିଥିଲେ ।ଗୋଷ୍ଠୀ ଶିକ୍ଷା ଅଧିକାରୀ ଘଟଣା ସମ୍ପର୍କରେ ଜାଣି ମଧ୍ୟ ସେଠାକୁ ଯାଇ ନଥିଲେ । ଜନୈକ ସି ଆର ସି ସି ଙ୍କ ମାଧ୍ୟମରେ କଥାବାର୍ତ୍ତା କରି ତାଙ୍କ କାର୍ଯ୍ୟାଳୟକୁ ଡାକିଥିଲେ । କିନ୍ତୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିଜ ଜିଦ୍ ରେ ଅଟଳ ରହିବା ଯୋଗୁଁ ପରିଚାଳନା କମିଟି ସଭାପତି ଆରତ ପରିଡା ଏବଂ ଗ୍ରାମବାସୀ ମାନେ ଅସନ୍ତୋଷ ପ୍ରକାଶ କରି ଫେରିଥିଲେ ।

ବିଏମସି ନ୍ୟୁଜ୍ ଓଡିଶା।

Leave a Reply

Your email address will not be published. Required fields are marked *