କନ୍ଧମାଳ ; ତା-୨୭/୦୨(ବିଏମସି ଟିଭି ଓଡ଼ିଆ)
କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଅଞ୍ଚଳ ଚୋରଙ୍କ ଆତଙ୍କ ଦିନକୁ ଦିନ ବୃଦ୍ଧି ପାଉଛି । ବାରମ୍ବାର ଚୋରୀ, ଡକାୟତି, ଲୁଟତରାଜ, ରାହାଜାନି କରି ସିଧାସଳଖ ସ୍ଥାନୀୟ ପୋଲିସ କୁ ଚାଲେଞ୍ଜ ଦେଇ ଚାଲିଛନ୍ତି । ଏଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ ବୁଧବାର ମଧ୍ୟରାତ୍ରି ରେ ତୁମୁଡିବନ୍ଧ ସ୍ଥିତ ଡ଼ଃ.ଆମ୍ବେଦକର ଛକ ବାସିନ୍ଦା ପିତାମ୍ବର ସାହୁ (ସନ୍ତୋଷ)ଙ୍କ ଘର ଉପରେ ୪/୫ ଜଣ ଅଜଣା ମୁଖା ଧାରୀ ଦୁର୍ବୁର୍ତ୍ତ ଅଚାନକ ଚଢ଼ାଉ କରି ୮ ଭରି ସୁନା ଅଳଙ୍କାର ଏବଂ ନଗଦ ଏକ ଲକ୍ଷ ଟଙ୍କା ଲୁଟ କରି ନେଇଯାଇଛନ୍ତି ।ଜଳେଶପଟ୍ଟା ସ୍ଥିତ ଜଳେଶ୍ୱର ଶୈବ ପୀଠରେ ଶିବ ରାତ୍ରି ଥିବା କାରଣରୁ ରାତି ତମାମ ଗହଳ ଚହଳ ଲାଗି ରହିଥିଲା । ସବୁଦିନ ଭଳି ସନ୍ତୋଷ ତାଙ୍କ ପରିବାର ସହ କବାଟ ବନ୍ଦ କରି ଶୋଇପଡ଼ିଥିଲେ । ରାତି ଅଧରେ କେହି କବାଟ ବାଡେଇବାରୁ ଖୋଲିବାକୁ ସଂକୋଚ କରି ଚେଇଁ ବସିଥିଲେ ସନ୍ତୋଷ ।କିନ୍ତୁ ଚୋର ମାନେ କବାଟ ଭାଙ୍ଗି ଭିତରେ ପଶିଥିଲେ ।ପ୍ରଥମେ ସନ୍ତୋଷଙ୍କ ପାଟିକୁ ବଡ଼ ସେଲୋଟେପରେ ବନ୍ଦ କରି ପଛପଟ ଦୁଇ ହାତକୁ ବାନ୍ଧି ତାଙ୍କ ସ୍ତ୍ରୀ ମୁଣ୍ଡରେ ବନ୍ଧୁକ ଲଗାଇ ସବୁ ଅଳଙ୍କାର ଲୁଟି ନେଇଯାଇଥିଲେ ଦୁର୍ବୃତ୍ତ । ସେପଟେ ପୋଲିସ ଶିବରାତ୍ର ପାଇଁ ମନ୍ଦିର ପଇଁତରା ମାରୁଥିବା ବେଳେ ଏପଟେ ଏକ ବଡ଼ ଧରଣର କଳାକନା ବୁଲାଇଲେ ଚୋର । ପ୍ରକାଶ ଥାଉକି ୨୦୨୩ ମସିହା ଏପରି ଶିବରାତ୍ରରେ ହିଁ ମେଡିକାଲ ସମ୍ମୁଖ ଝୁନା ପରିଡ଼ାଙ୍କ ଗୃହରୁ ଏକ ବଡ଼ ଧରଣର ଚୋରୀ ହୋଇଥିଲା। ଏପରି ଛୋଟ ବଡ଼ ଧରଣର ଚୋରୀ ନିୟମିତ ହେଉଥିବାରୁ ପୋଲିସର ଅପାରଗତାର ଯଥେଷ୍ଟ ଫାଇଦା ଉଠାଉଛନ୍ତି ଚୋରଦଳ ।ତେଣୁ ପୋଲିସ କାର୍ଯ୍ୟାନୁଷ୍ଠାନରେ ଅସନ୍ତୋଷ ବ୍ୟକ୍ତ କରି ଗୁରୁବାର ତୁମୁଡିବନ୍ଧରେ ବଣିକ ସଂଘ ଓ ଗ୍ରାମବାସୀଙ୍କ ତରଫରୁ ସମସ୍ତ ଦୋକାନ ବଜାର ବନ୍ଦ କରି ପ୍ରାୟ ୫ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ରାସ୍ତାରୋକ କରିଥିଲେ । ଯାହା ଫଳରେ ରାସ୍ତାର ଦୁଇ ପାର୍ଶ୍ଵରେ ସହ ସହ ଯାନବାହାନ ଅଟକି ଥିବାରୁ ଜନସାଧାରଣ ଓ ଯାତ୍ରୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଖବର ପାଇ ବାଲିଗୁଡ଼ା ପୋଲିସ ଏସଡିପିଓ ରାମେନ୍ଦ୍ର ପ୍ରସାଦ ଘଟଣା ସ୍ଥଳରେ ନିଜେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରି ତୁମୁଡିବନ୍ଧ ଗ୍ରାମବାସୀ ଓ ବଣିକ ସଂଘ ସହ ଆପୋଷ ଆଲୋଚନା କରି ଏହି ଡକାୟତି ଘଟଣାର ତଦନ୍ତ କରିବା ସହ ଅଞ୍ଚଳରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡ଼ି କରିବେ ବୋଲି ପ୍ରତିଶୃତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହାର କରିଥିଲେ ଅଞ୍ଚଳ ବାସୀ । ତେବେ ବାରମ୍ବାର ଏହିଭଳି ଚୋରୀ, ଡକାୟତି, ଲୁଟତରାଜ ଓ ରାହାଜାନି ତୁମୁଡିବନ୍ଧ ଅଞ୍ଚଳରେ ଲାଗିରହିଥିବା ବେଳେ ପୋଲିସର କାର୍ଯ୍ୟାନୁଷ୍ଠାନ ସନ୍ତୋଷଜନକ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଅପରପକ୍ଷେ ଆଇନ ବ୍ୟବସ୍ଥାରେ କୋହଳତା ଯୋଗୁଁ ବାରମ୍ବାର ଗିରଫ ପରେ ଚୋରଙ୍କୁ ସହଜରେ ଜାମିନ ମିଳିଯାଉଛି ଏବଂ ପୋଲିସ କୁ ଆଉ ଭୟ କରୁନାହାନ୍ତି । ତେବେ ଏସଡିପିଓ ଙ୍କ ପ୍ରତିଶୃତି ପରେ ଚୋରଙ୍କ ଉପରେ ଅଙ୍କୁଶ ଲଗାଇବାରେ ପୋଲିସ କେତେଦୂର ସଫଳ ହେଉଛି ତାହା ତୁମୁଡିବନ୍ଧ ଜନସାଧାରଣ ଦେଖିବାକୁ ବାକି ରହିଲା ।
କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।