ଭୁବନେଶ୍ୱର ; ତା-୨୧/୧୨ (ବିଏମସି ଟିଭି ଓଡ଼ିଆ)
ରାଜଧାନୀ ଭୁବନେଶ୍ୱର ପାଇଁ ଶନିବାର ଚଳିତବର୍ଷର ସବୁଠାରୁ ଛୋଟ ଦିନ ଓ ଦୀର୍ଘତମ ରାତି ହେବ। ଆଜି ସବୁଠାରୁ ଛୋଟ ଦିନ, ରାତି ହେବ ଲମ୍ବା । ଭୁବନେଶ୍ବରରେ ଦିନର ଲମ୍ବ ପ୍ରାୟ ୧୦ ଘଣ୍ଟା ୫୪ ମିନିଟ୍ ୨୪ ସେକେଣ୍ଡ ରହିବ । ଆଉ ଦୀର୍ଘତମ ରାତି ପ୍ରାୟ ୧୩ ଘଣ୍ଟା ୫ ମିନିଟ୍ ୩୬ ସେକେଣ୍ଡ ହେବ । ଏନେଇ ସୂଚନା ଦେଇଛନ୍ତି ମହାକାଶ ବିଜ୍ଞାନୀ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ ।
ପ୍ରାୟତଃ ଭୁବନେଶ୍ୱରରେ ଡିସେମ୍ବର ୧୫ରୁ ୨୭ ତାରିଖ ଯାଏ ପ୍ରାୟ ୧୨ ଦିନ ଧରି ଦିନର ଲମ୍ବ ୧୦ ଘଣ୍ଟା ୫୪ ମିନିଟ୍ ଏବଂ ରାତି ପ୍ରାୟ ୧୩ ଘଣ୍ଟା ୫ ମିନିଟ୍ ହୋଇଥାଏ । ଆଜି ସୁନ୍ଦରଗଡ଼ରେ ଦିନ ୧୦ ଘଣ୍ଟା ୪୭ ମିନିଟ୍ ଓ ମାଲକାନଗିରିରେ ଦିନର ଲମ୍ବା ୧୧ ଘଣ୍ଟା ୦୧ ମିନିଟ୍ ରହିବ । ସେହିପରି ଦିଲ୍ଲୀ ଓ କନ୍ୟାକୁମାରୀରେ ଦିନର ଲମ୍ବା ଯଥାକ୍ରମେ ୧୦ ଘଣ୍ଟା ୧୯ ମିନିଟ୍ ଓ ୧୧ ଘଣ୍ଟା ୩୯ ମିନିଟ୍ ହେବ। ପ୍ରତିବର୍ଷ ଡିସେମ୍ୱର ୨୨ରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହୋଇଥାଏ।
ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ରେ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁର ପ୍ରଥମ ଦିନ ଆରମ୍ଭ ହୋଇଥାଏ । ଏହା ବର୍ଷର ସବୁଠାରୁ ଛୋଟ ଦିନ ହୋଇଥାଏ । ଧୀରେ ଧୀରେ ଦିନଗୁଡ଼ିକ ଅଧିକରୁ ଅଧିକ ଲମ୍ବା ହୁଏ ବା ଦିନର ଲମ୍ବ ବଡ଼ ହେବାକୁ ଆରମ୍ଭ ହୁଏ। ତେଣୁ ଡିସେମ୍ବର ୨୫କୁ ‘ବଡଦିନ’ ରୂପେ ପାଳନ କରାଯାଏ ।
ସେହିପରି ମାର୍ଚ୍ଚ ୨୨ କିମ୍ବା ୨୩ ତାରିଖ ବେଳକୁ ଦିନ ଓ ରାତିର ଅବଧି ପାଖାପାଖି ସମାନ ହୁଏ । ଜୁନ ୨୧ କିମ୍ବା ୨୨ ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ସବୁଠାରୁ ବଡ଼ ଦିନ ହୋଇଥାଏ । ମେରୁ ନିକଟବର୍ତ୍ତୀ ସ୍ଥାନଗୁଡ଼ିକରେ ବର୍ଷସାରା ଦିନର ଦୈର୍ଘ୍ୟରେ ବଡ଼ ପାର୍ଥକ୍ୟ ଅନୁଭୂତ ହୁଏ । ସେଠାରେ ଶୀତଋତୁରେ ଦିନଗୁଡ଼ିକ ଅତ୍ୟନ୍ତ ଛୋଟ ହୁଏ । ପ୍ରତ୍ୟେକ ବର୍ଷ ଜୁନ ୨୧ରେ ସୂର୍ଯ୍ୟ ଉତ୍ତର ଗୋଲାର୍ଦ୍ଧର ୨୩.୫ ଡିଗ୍ରୀରେ ଥିବା କର୍କଟ କ୍ରାନ୍ତିଠାରୁ ଧୀରେଧୀରେ ଦକ୍ଷିଣ ଦିଗକୁ ଗତି କରିଥାଏ, ଯାହାକୁ ଆମେ ସୂର୍ଯ୍ୟର ଦକ୍ଷିଣାୟନ ଗତି କହିଥାଉ । ଏହିପରି ଦକ୍ଷିଣ ଦିଗକୁ ଢଳିଢଳି ୨୨ ଡିସେମ୍ବର ବେଳକୁ ସୂର୍ଯ୍ୟ ବିଷୁବ ରେଖାଠାରୁ ୨୩.୫ ଡିଗ୍ରୀ ଦକ୍ଷିଣରେ ଥିବା ମକର କ୍ରାନ୍ତିରେ ପହଞ୍ଚତ୍ଥାଏ। ଫଳରେ ବର୍ଷର ବିଭିନ୍ନ ସମୟରେ ଦିନ ଓ ରାତିର ଅବଧିରେ ତାରତମ୍ୟ ହୋଇଥାଏ ବୋଲି ମହାକାଶ ବିଜ୍ଞାନୀ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି।
ବିଏମସି ନ୍ୟୁଜ୍ ଓଡିଶା।