ସମ୍ବଲପୁର :ତା.୧୯/୦୩(ବିଏମସି ଟିଭି ଓଡିଆ)
କୁଚିଣ୍ଡା ବ୍ଲକର କୁଟୁରାଚୁଆଁ ସ୍ଥିତ ମହିଳା ମହାସଂଘ କାର୍ଯ୍ୟାଳୟର ସଭା ଗୃହରେ ମହାସଂଘର ସଭାନେତ୍ରୀ ଇନ୍ଦ୍ରାଣୀ ପ୍ରଧାନଙ୍କ ସଭାପତିତ୍ବରେ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅବିଭକ୍ତ ସମ୍ବଲପୁର ଜିଲ୍ଲା ନିଶା ନିବାରଣ ଅଭିଯାନର ସଭାପତି ସୁବାସ ନାୟକ ମୁଖ୍ୟଅତିଥି ଓ ସମାଜସେବୀ ଅମ୍ବିକା ମିଶ୍ର ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ପୂର୍ଣ୍ଣାଙ୍ଗ ନିଶା ନିବାରଣ , ଜଙ୍ଗଲ ସଂରକ୍ଷଣ ଓ ଶିକ୍ଷା ଦ୍ଵାରା ଆଦର୍ଶ ଗ୍ରାମ ପଞ୍ଚାୟତ ଗଠନ ସମ୍ଭବ ବୋଲି କହିଥିଲେ।

ପ୍ରାରମ୍ଭରେ ମହାସଂଘ ର ସମ୍ପାଦିକା ଶୁଭଶ୍ରୀ ସାହୁ ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ସମାବେଶରେ ନାରୀ ସ୍ୱେଚ୍ଛା ସେବୀ ସୈଲେନ୍ଦ୍ରି ସେଠ, ରୀନା ଭଞ୍ଜ, ରୀତା ନାଏକ, ସୁପ୍ରଭା ମିଶ୍ର ଓ ସୂର୍ଯ୍ୟକାନ୍ତ ତେଲି ପ୍ରମୁଖ ଭାଷଣ ଦେଇ ଆଗାମୀ କାଲି ବିରାଟ ସମାବେଶ କରି ପୂର୍ଣ୍ଣ ନିଶାମୁକ୍ତ ଅଞ୍ଚଳ ଗଠନ ପାଇଁ ଜନଜାଗରଣ କରାଯିବାକୁ ଘୋଷଣା କରିଥିଲେ । ଏହି ସମାବେଶରେ ସମସ୍ତେ ଠିଆ ହୋଇ ନିଶାମୁକ୍ତ ଓ ଆଦର୍ଶ ଗ୍ରାମ ପଞ୍ଚାୟତ ଗଠନ ପାଇଁ କାର୍ଯ୍ୟ କରିବାକୁ ଶପଥ ନେଇଥିଲେ । ଶେଷରେ ନିଶା ନିବାରଣ ଅଭିଯାନର କୁଚିଣ୍ଡା ଉପଖଣ୍ଡ ସଭାପତି କରୁଣାକର କିସାନ ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।